Odisha Link
Bridging the Missing Links in Odisha

ଭୁବନେଶ୍ବରକୁ ବାର୍ଡ ଫ୍ଲୁ ଭୟ, ବିଏମ୍‌ସି ଦେଲା ଏଭଳି ପରାମର୍ଶ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ। ରାଜଧାନୀ ଭୁବନେଶ୍ବରକୁ ବାର୍ଡ ଫ୍ଲୁ ଭୟ। ଏହାକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ନେଇଛି ବଡ଼ ପଦକ୍ଷେପ। ଭୁବନେଶ୍ବରରେ କୁକୁଡ଼ା ମାଂସ ବିକ୍ରି କରୁଥିବା ବ୍ୟବସାୟୀ ଯେଉଁଠି ସଂକ୍ରମଣ ହୋଇଛି ସେ ଅଞ୍ଚଳରୁ କୁକୁଡ଼ା ନକିଣିବା ପାଇଁ ପରାମର୍ଶ ଦେଇଛି ବିଏମ୍‌ସି।

ଭୁବନେଶ୍ବର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥିବାରୁ କୁକୁଡ଼ା ମାଂସ ଦୋକାନୀମାନେ ଉକ୍ତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ପରାମର୍ଶ ଦେଇଛନ୍ତି।

ଏହି ରୋଗ ସଂକ୍ରମିତ ହେବାର ସମ୍ଭାବନା ରହିଥିତ୍ବାରୁ ସଂପ୍ରତି ଯେଉଁ କୁକୁଡ଼ା ବା ପକ୍ଷୀ ଅସ୍ବାଭାବିକ ଭାବେ ଅସୁସ୍ଥ ହୋଇ ପଡୁଥିଲେ କିମ୍ବା ମୃତ୍ୟୁ ହେଉଥିଲା ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଫିସରେ ଜଣାଇବାକୁ କମିଶନର କହିଛନ୍ତି।

ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଯେଉଁ କୁକୁଡ଼ା ଅସ୍ବାଭାବିକ ଭାବେ ଅସୁସ୍ଥ ତାକୁ ତୁରନ୍ତ ନିକଟସ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ଓ୍ବାରା୍ଡ ଅଫିସରେ ଜଣାଇବେ। କୁକୁଡ଼ାର ମୃତ୍ୟୁ ହେଲେ ଏଣେତେଣେ ନଫିଙ୍ଗିବାକୁ ପରାମର୍ଶ ଦିଆଯାଇଛି। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିବା ସହ ତା’ ଉପରେ ବ୍ଲିଚିଂ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି। ଏହି କାର୍ଯ୍ୟ କଲାବେଳେ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭସ୍‌ ପିନ୍ଧିବାକୁ ପଡ଼ିବ।

ସେହିପରି କୁକୁଡ଼ା ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବେ। ବିଏମ୍‌ସି ଅଧିକାରୀ ତଥା ସାଇନ୍‌ ଟିମ୍‌ ବିଭିନ୍ନ ଜାଗା ବୁଲି ସ୍ଥିତି ପରଖିବେ। ଏହି ସମୟରେ ବ୍ୟବସାୟୀମାନେ ସଠିକ୍‌ ତଥ୍ୟ ପ୍ରଦାନ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.