Odisha Link
Bridging the Missing Links in Odisha

ଓଡ଼ିଶାକୁ ବାଂଲାଦେଶୀ ଚିନ୍ତା, ଅନୁପ୍ରବେଶକାରୀ ଚିହ୍ନଟ ନେଇ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ସ୍ଥିତି ଅଣାୟତ୍ତ ହେଉଥିବାବେଳେ ହିଂସା ଯୋଗୁଁ ବାଂଲାଦେଶ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏସବୁ ଭିତରେ ରାଜ୍ୟରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଆଲର୍ଟ କରାଯାଇଛି। ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଉପରେ ଉପରେ ନଜର ରଖିବାକୁ ରାଜ୍ୟର ସାମୁଦ୍ରିକ ଥାନା ଗୁଡିକକୁ ପୂର୍ବରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଆଜି ଖୋଦ ମୁଖ୍ୟମନ୍ତ୍ରୀ ଏନେଇ ବଡ ସୂଚନା ଦେଇଛନ୍ତି।

ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୩ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ପୁରୀ, ଭୁବନେଶ୍ୱରରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଏଥିପାଇଁ ୩ ଜିଲ୍ଲାର ପୁଲିସ ବିଭାଗକୁ ଏକ ସ୍ୱତନ୍ତ୍ର ଦଳ କରି ବାଂଲାଦେଶ ଅନୁପ୍ରବେଶକାରୀ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଧାୟକଙ୍କ ପ୍ରଶ୍ନରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି।

ଅନ୍ୟପଟେ, ନିଜ ଦେଶ ଛାଡ଼ି ଜଳପଥରେ ବେଆଇନ୍‌‌ ଭାବେ ଓଡ଼ିଶାରେ ପ୍ରବେଶ କରିବା ସହ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ସବୁଦିନିଆ ବାସିନ୍ଦା ହୋଇ ବସତି ସ୍ଥାପନ କଲେଣି ବାଂଲାଦେଶ ଅନୁପ୍ରବେଶକାରୀ। ଏମାନଙ୍କ ଉପସ୍ଥିତିକୁ ନେଇ ରାଜ୍ୟ ପୁଲିସ ଓ ପ୍ରଶାସନ ଏବେ ଚିନ୍ତାରେ ପଡ଼ିଛି। କାରଣ, ଓଡ଼ିଶାରେ ପ୍ରବେଶ କରିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମାନେ ନାନା ପ୍ରକାରର ଅପରାଧରେ ଜଡ଼ିତ ରହୁଛନ୍ତି।

ଗତ କିଛି ବର୍ଷ ହେବ ନିଶା କାରବାର ଠାରୁ ଆରମ୍ଭ କରି ଦେହ ବେପାର, ଜାଲନୋଟ୍‌‌ କାରବାର ଏବଂ ଏଟିଏମ୍‌‌ ଲୁଟ୍‌‌ ପର୍ଯ୍ୟନ୍ତ ରାଜ୍ୟରେ ଘଟିଥିବା ଏକାଧିକ ଅପରାଧରେ ଏମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି। ସବୁଠାରୁ ବଡ଼କଥା ହେଲା, କିଛିଦିନ ରହିଗଲା ପରେ ଏମାନେ ଓଡ଼ିଶାର ବୋଲି ପରିଚୟପତ୍ର କରି ନେଉଛନ୍ତି। କିନ୍ତୁ ଅଧିକାଂଶ ବାଂଲାଦେଶୀ ନକଲି ପରିଚୟପତ୍ର କରି ରାଜ୍ୟକୁ ପଶୁଛନ୍ତି।

ବିଧାନସଭାରେ ରଖାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦିଆଯାଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୧ଲକ୍ଷ ୫୭ହଜାର ୪୩୨ ଜଣ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି। ମାଲକାନଗିରିରେ ସର୍ବାଧିକ ୧ଲକ୍ଷ ୪ହଜାର ୨୩୩ ଜଣ, ନବରଙ୍ଗପୁରରେ ୪୬, ୮୪୮ ଜଣ ରହିଛନ୍ତି। ସେହିଭଳି କେନ୍ଦ୍ରାପଡ଼ାରେ ୪୪୧, ଖୋର୍ଦ୍ଧାରେ ୪୬୫୩, ଯାଜପୁରରେ ୩୭୯, କଳାହାଣ୍ଡିରେ ୯୦, ବାଲେଶ୍ୱରରେ ୭୫, ଅନୁଗୁଳରେ ୧୫, କୋରାପୁଟରେ ୧୯୪, ରାୟଗଡ଼ାରେ ୩୦୪ ଜଣ ରହିଛନ୍ତି।

ଏହାବ୍ୟତୀତ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଆସିଛନ୍ତି। କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୪୯ ଓ ଜଗତସିଂହପୁରରେ ୧୧୧୨ ଜଣ ରହିଛନ୍ତି। ସେହିଭଳି ନବରଙ୍ଗପୁରରେ ୧୦୬, ମାଲକାନଗିରିରେ ୬୫୫, ଖୋର୍ଦ୍ଧାରେ ୧୭, ଭଦ୍ରକରେ ୧୯୯, ବରଗଡ଼ରେ ୨ଜଣ ଅନୁପ୍ରବେଶକାରୀ ରହିଥିବା ମନ୍ତ୍ରୀ କହିଛନ୍ତି। ବେଆଇନ୍‌‌ ଭାବେ ଆସି ରହୁଥିବା ବାଂଲାଦେଶୀଙ୍କ ତଥ୍ୟ ନ ଥିବାରୁ ସେମାନେ ଏଠାରେ ଅପରାଧ ଘଟାଇବାକୁ ସାହସ କରୁଛନ୍ତି।

ସେମାନେ ଜଳପଥ ଏବଂ ସ୍ଥଳ ସୀମା ପାରି ହୋଇ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। ଏପରିକି କିଛି ଲୋକ ମଧ୍ୟ ଟଙ୍କା ନେଇ ବୋଟ୍‌‌ ସାହାଯ୍ୟରେ ବାଂଲାଦେଶୀଙ୍କୁ ଓଡ଼ିଶାରେ ଛାଡୁଛନ୍ତି। ତେବେ ବାଂଲାଦେଶରେ ହିଂସା ବଢୁଥିବାବେଳେ ଓଡିଶାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି।

Leave A Reply

Your email address will not be published.