ସତର୍କ ରୁହନ୍ତୁ ! ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ସ୍ପଷ୍ଟ କଲା ସ୍ବାସ୍ଥ୍ୟ ବିଭାଗ
ଓଏଲ୍ ବ୍ୟୁରୋ: ସାରା ବିଶ୍ବରେ ଆତଙ୍କ ଖେଳାଉଥିବା ମଙ୍କିପକ୍ସ ଭୂତାଣୁ ଭାରତରେ କରିଛି ପ୍ରବେଶ। ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଯୁବକ ଜଣଙ୍କ ମକ୍ସିପକ୍ସ ଚିହ୍ନଟ ହୋଇଥିବା ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ତାଙ୍କୁ ଏକାନ୍ତବାସରେ ରଖାଯିବା ସହ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପିଜିଟିଭ ଆସିଥିବା ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି।
ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ଯ ସଂଗଠନ (WHO) ହେଲଥ ଏମର୍ଜେନ୍ସି ଘୋଷଣା କରିଥିଲେ। ପାଖାପାଖି ୧୭ଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି। ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସନ୍ଦିଗ୍ଧ ଯୁବକ ମଙ୍କିପକ୍ସମଙ୍କିପକ୍ସ ରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଶରୀରରୁ କ୍ଲେଡ ୨ ଭାଇରସ ଠାବ ହୋଇଛି। ୨୦୨୨ ଜୁଲାଇରୁ ଭାରତରେ ଏହି ଭାଇରସ ୩୦ ଜଣଙ୍କ ଶରୀରରେ ମଧ୍ୟ ଠାବ ହୋଇଥିଲା। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସରକାର କହିଛନ୍ତି।
ରିପୋର୍ଟ ଅନୁସାରେ, ବୁରୁଣ୍ଡି, କେନିଆ, ରୁୱାଣ୍ଡା ଏବଂ ଉଗାଣ୍ଡାରେ ମଙ୍କିପକ୍ସର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଭାରତରେ ଆକ୍ରାନ୍ତ ଜଣଙ୍କ ଶରୀରରୁ କ୍ଲେଡ ୨ ଷ୍ଟ୍ରେନ ମିଳିଛି।
ଅନ୍ୟପଟେ ମଙ୍କି ପକ୍ସକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଓ ଏୟାରପୋର୍ଟ ଗୁଡ଼ିକୁ ଆଲର୍ଟ ଜାରି କରିଛନ୍ତି ଭାରତ ସରକାର। ହସ୍ପିଟାଲ ଗୁଡ଼ିକୁ ଜରୁରୀ କାଳୀନ ୱାର୍ଡ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିବା ଜଣାପଡ଼ିଛି। ଏହା ସହ ସନ୍ଦିଗ୍ଧ ରୋଗୀମାନଙ୍କର ଆରଟି ପିସିଆର ଓ ସ୍ୱାବ ଟେଷ୍ଟ କରାଯିବ। ଏୟାପୋର୍ଟଗୁଡ଼ିକୁ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି।