ହାତୀ ଉପଦ୍ରବ: ୧୦ ବର୍ଷରେ ଗଲାଣି ୧୧ ଶହରୁ ଅଧିକ ଜୀବନ
ଓଏଲ୍ ବ୍ୟୁରୋ: ରାଜ୍ୟରେ ହାତୀ ଉପଦ୍ରଵ ବଢ଼ିବାରେ ଲାଗିଛି। ବିଗତ ୧୦ ବର୍ଷରେ ହାତୀ ଉପଦ୍ରଵ କାରଣରୁ ଗଲାଣି ୧୧ ଶହରୁ ଅଧିକ ଜୀବନ। ୨୦୧୩ରୁ ୨୦୨୩ ଭିତରେ ୧୧୪୫ ଜଣଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ କାରଣରୁ ୧୦ ବର୍ଷରେ ୭୧୯ ହାତୀଙ୍କ ଜୀବନ ଯାଇଥିବା ଜଙ୍ଗଲ ପରିବେଶ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।
ଅନ୍ୟପଟେ, ରାଜ୍ୟର ବିଭିନ୍ନ ଜଙ୍ଗଲରେ ବଢ଼ିବାରେ ଚାଲିଛି ଶିକାରୀଙ୍କ ଦୌରାତ୍ମ୍ୟ। ପ୍ରତିଦିନ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଜୀବଜନ୍ତୁଙ୍କ ଶିକାର ବୃଦ୍ଧି ପାଉଛି। ମୁଖ୍ୟତଃ ବାଘ ଓ ହାତୀଙ୍କୁ ଶିକାର କରାଯାଉଛି। ଦୁର୍ଘଟଣା, ବୟସାଧିକ ମୃତ୍ୟୁ ସାଙ୍ଗକୁ ବିଭିନ୍ନ ସମୟରେ ଏହି ପଶୁଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ୧୦ ବର୍ଷରେ ୪୧ ହାତୀଙ୍କୁ ହତ୍ୟା କରାଯାଇଛି। ଏନେଇ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ବଢିଛି। ୧୦ ବର୍ଷରେ ୪୧ ହାତୀଙ୍କୁ ହତ୍ୟା କରାଯାଇଛି। କେବଳ ହାତୀଙ୍କ ୨୫ ବାଘକୁ ମଧ୍ୟ ଶିକାରୀ ହତ୍ୟା କରିଛନ୍ତି।
ଅପରପକ୍ଷେ ୧୦ ବର୍ଷ ମଧ୍ୟରେ ୪୮ଟି କଲରାପତରିଆ, ୭ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ କହିଛନ୍ତି। ଏଥିମଧ୍ୟରୁ ୨୫ଟି ବାଘ ଶିକାରୀଙ୍କ ହତ୍ୟାର ଶିକାର ହୋଇଛନ୍ତି। ୪ଟି ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣାରେ ୨, ରାସ୍ତା ଦୁର୍ଘଟଣାରେ ୩ ବାଘ, ନଦୀ ନାଳରେ ବୁଡ଼ି ୬ଟି ବାଘଙ୍କ ଜୀବନ ଯାଇଥିବା ମନ୍ତ୍ରୀ କହିଛନ୍ତି। ଗୃହରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉତ୍ତର ରଖିଛନ୍ତି।