ମାତିଛି ମଣିଷଖିଆ ଗଧିଆ, ଗଲାଣି ୯ ଜୀବନ
ଓଏଲ୍ ବ୍ୟୁରୋ: ମାତିଛି ମଣିଷଖିଆ ଗଧିଆ। ଉତ୍ତର ପ୍ରଦେଶରେ ପୁଣି ଗଧିଆ ଆକ୍ରମଣ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ବାହରାଇଚ୍ରେ ଗତକାଲି ସୁଦ୍ଧା ୫ଟି ଗଧିଆ ଧରା ପଡ଼ିଥିଲେ। ହେଲେ ଏହା ପରେ ଆକ୍ରମଣ କମୁନି। ଗତରାତିରେ ପୁଣି ଥରେ ଗଧିଆ ଆକ୍ରମଣରେ ଜଣେ ୧୧ ବର୍ଷୀୟା ନାବାଳିକା ଗୁରୁତର ହୋଇଛି। ନାବାଳିକାଜଣକ ଘରେ ଶୋଇଥିବା ବେଳେ ଗଧିଆ ତାକୁ ଘରୁ ଟାଣିନେଇଥିଲା। ଗଧିଆ ଆକ୍ରମଣରେ ନାବାଳିକାଜଣକ ଲହୁଲୁହାଣ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବନ ବିଭାଗ ପକ୍ଷରୁ ‘ଅପରେସନ ଗଧିଆ’ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଶେଷ ଗଧିଆକୁ ବି ଖୁବ୍ ଶୀଘ୍ର କାବୁ କରାଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ ହରଦୀ ଥାନା ଅଞ୍ଚଳରେ ଗଧିଆ ଆକ୍ରମଣ କରିଥିଲା। ରାତିରେ ମାଆ ପାଖରେ ଶୋଇଥିବା ଏକ ୭ ବର୍ଷ ଶିଶୁ ଉପରେ ଆକ୍ରମଣ କରିଥିଲା। ଶିଶୁକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ଜଣଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଆକ୍ରମଣ ବିଷୟରେ ଖବର ପାଇ ଡିଏଫଓ, ଏସଡିଏମ ସମେତ ବନ କର୍ମଚାରୀ ଅଞ୍ଚଳରେ ପହଞ୍ଚିଥିଲେ। ଗଧିଆ ଏଯାଏଁ ୯ ଜଣଙ୍କ ଜୀବନ ନେଇଥିବା ବେଳେ ୩୧ ଜଣଙ୍କୁ ଗୁରୁତର ଆହତ କରିଛି।