Odisha Link
Bridging the Missing Links in Odisha

କୋରାପୁଟ ଓ ମାଲକାନଗିରିରେ ବର୍ଷାର ବିତ୍ପାତ, କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା ରାଶି

ଓଏଲ୍‌ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ମାଲକାନଗିରି ଜିଲ୍ଲା ନିଜର ଭୌଗଳିକ ସ୍ଥିତି କାରଣରୁ ଅଧିକ ପ୍ରଭାବିତ ହୋଇଛି। ସରକାର ଏନେଇ ସଂପୂର୍ଣ୍ଣ ସଚେତନ ଅଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ପାଣି ନିଷ୍କାସନ ହୋଇଯିବା ନେଇ ଆଶା କରାଯାଉଛି। ପାଣି କମିବା ପରେ ସ୍ଵତନ୍ତ୍ର ଟିମ କ୍ଷୟକ୍ଷତି ଆକଳନ କରିବ। ଆକଳନ ରିପୋର୍ଟକୁ ଆଧାର କରି ଓଡ଼ିଶା ରିଲିଫ କୋଡ ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଆଜି ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ସୂଚନା ଦେଇଛନ୍ତି।

ଶୂନ୍ୟକାଳରେ ମନ୍ତ୍ରୀ ଗୃହରେ ଏନେଇ କହିଛନ୍ତି ଯେ ମାଲକାନଗିରି ଜିଲ୍ଲାରେ ବର୍ଷା ଜନିତ ବନ୍ୟା ସ୍ଥିତିର ମୁକାବିଲା ପାଇଁ ସରକାର ସବୁ ପଦକ୍ଷେପ ନେଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ୬ଟି ଓଡ୍ରାଫ ଏବଂ ୭ଟି ଅଗ୍ନିଶମ ଟିମ୍ ମୁତୟନ ଥିଲେ। ଏନଡିଆରଏଫର ୨ଟି ପ୍ଲାଟୁନ ଏବଂ ବିଏସଏଫ ଯବାନ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲେ। ରାଜ୍ୟ ହୋମଗାର୍ଡ ଡିଜି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାଲକାନଗିରିରେ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବର୍ତ୍ତମାନ ୧୭୮୦ ଜଣ ଲୋକ ରିଲିଫ କେନ୍ଦ୍ରରେ ଅଛନ୍ତି ଏବଂ ପରିସ୍ଥିତି ସ୍ଵାଭାବିକ ହେବା ପର୍ଯ୍ୟନ୍ତ ସେମାନେ ରିଲିଫ କେନ୍ଦ୍ରରେ ରହିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଗୃହକୁ ଅବଗତ କରାଇଛନ୍ତି।

Leave A Reply

Your email address will not be published.