ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ବଡ଼ ଉପଲବ୍ଧି ହାସଲ କରିବ କି ଭାରତ ? ଚେନ୍ନାଇ ଟେଷ୍ଟ ଉପରେ ବିଶ୍ବର ନଜର

ଓଏଲ୍ ବ୍ୟୁରୋ: ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ ଇଣ୍ଡିଆ-ବାଂଲାଦେଶ ଟେଷ୍ଟ ସିରିଜ। ୨ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ। ସେହିପରି ଦ୍ବିତୀୟ ମୁକାବିଲା କାନପୁରରେ ଖେଳାଯିବ। ପ୍ରଥମ ଟେଷ୍ଟ ପାଇଁ ଚେନ୍ନାଇରେ ପହଁଞ୍ଚି ସାରିଛି ଭାରତୀୟ ଦଳ। ଏପରିକି ମ୍ୟାଚ୍ ପାଇଁ ଅଭ୍ୟାସ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ବାଂଲାଦେଶ ବିପକ୍ଷ ପ୍ରଥମ ମୁକାବିଲାରେ ବଡ଼ ଉପଲବ୍ଧି ହାସଲ କରିପାରେ ରୋହିତ ବାହିନୀ। ଯାହା ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ କେବେ କରି ପାରି ନାହିଁ। ଏହି ରେକର୍ଡଟି ହେଉଛି ଟେଷ୍ଟ କ୍ରିକେଟରେ ହାରିବା ଅପେକ୍ଷା ଜିତିବା ଉପଲବ୍ଧି।
ଭାରତୀୟ ଦଳ କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟରେ ୫୭୯ଟି ମୁକାବିଲା ଖେଳିଛି। ସେଥିରୁ ଭାରତୀୟ ଦଳ ୧୭୮ ମ୍ୟାଚ୍ ଜିତିଥିବା ବେଳେ ୧୭୮ଟି ମ୍ୟାଚ୍ ହାରିଛି। ଟିମ୍ ଇଣ୍ଡିଆ ୨୨୨ଟି ମ୍ୟାଚ୍ ଡ୍ର ରଖିବାରେ ସଫଳ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଟାଇ ରଖିବାରେ ସଫଳ ହୋଇଛି। ଯଦି ଭାରତୀୟ ଦଳ ବାଂଲାଦେଶକୁ ପ୍ରଥମ ଟେଷ୍ଟରେ ପରାଜିତ କଣେ ତେବେ ଭାରତୀୟ ଦଳ ହାରିବା ସଂଖ୍ୟାଠୁ ଜିତିବା ସଂଖ୍ୟା ଅଧିକ ହେବ।
ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ୪ଟି ଦେଶ ହାରିବା ଅପେକ୍ଷା ଅଧିକ ମ୍ୟାଚ ଜିତିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। କଙ୍ଗାରୁବାହିନୀ ଏପର୍ଯ୍ୟନ୍ତ ୮୬୬ଟି ଟେଷ୍ଟ ମ୍ୟାଚ ଖେଳିଛି ସେଥିରୁ ୪୧୪ଟି ମ୍ୟାଚ ଜିତିଥିବା ବେଳେ ୨୩୨ଟଇ ମ୍ୟାଚରେ ପରାଜିତ ହୋଇଛି। ସେହିପରି ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ଇଂଲଣ୍ଡ ଏପର୍ଯ୍ୟନ୍ତ ୧୦୭୭ଟି ମ୍ୟାଚ୍ ଖେଳିଛି। ସେଥିରୁ ଦଳ ୩୯୭ଟି ମ୍ୟାଚ୍ ଜିତିଥିବା ବେଳେ ୩୨୫ଟି ମ୍ୟାଚରେ ପରାଜିତ ହୋଇଛି।
ସେହିପରି ତୃତୀୟରେ ଦକ୍ଷିଣ ଆଫ୍ରିକା ଓ ୪ର୍ଥ ସ୍ଥାନରେ ପାକିସ୍ତାନ ରହିଛି। ଯଦି ଟିମ୍ ଇଣ୍ଡିଆ ଚେନ୍ନାଇ ଟେଷ୍ଟରେ ବିଜୟ ହାସଲ କରେ ତେବେ ୫ମ ଦେଶ ଭାବେ ହାରିବା ଅପେକ୍ଷା ଅଧିକ ଟେଷ୍ଟ ମ୍ୟାଚ ଜିତିବ।