Odisha Link
Bridging the Missing Links in Odisha

ଓଡ଼ିଶାରେ ଗଡ଼ିବ ଆଉ ୨ ବନ୍ଦେ ଭାରତ ଏକ୍ସପ୍ରେସ, ଆଜି ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆଜିଠୁ ଗଡ଼ିବ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ। ଝାଡ଼ଖଣ୍ଡର ଟାଟାରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଭିଡିଓ କନଫରେନ୍ସରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ଆଜି ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି। ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାଓ୍ବଡା ମଧ୍ୟରେ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ।

ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ରାଉରକେଲାରେ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନରେ ଉପସ୍ଥିତ ରହିବେ।ପୂ ର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ଆଭାସୀରେ ବନ୍ଦେ ଭାରତ ଟ୍ରେନ୍‌ର ଉଦ୍‌ଘାଟନ କରିବେ। ସେଥିରେ ଯୋଗ ଦେବା ସହ ଉକ୍ତ ଟ୍ରେନ୍‌ରେ ଭୁବନେଶ୍ୱର ‌ଫେରିବେ। ସେଥିପାଇଁ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ୧୪ ଓ ୧୫ ତାରିଖ ଦୁଇ ଦିନ ମହାନଗର ନିଗମ କାର୍ଯ୍ୟାଳୟ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ନିଗମ କର୍ତ୍ତୃପକ୍ଷ। ଏନେଇ ବିଏମ୍‌ସି କମିଶନର୍‌ ନିର୍ଦ୍ଦେଶ ଜାରି କରିଛନ୍ତି।

ସେହିପରି ଆସନ୍ତା ୧୮ରୁ ଏହା ରାଉରକେଲା-ହାଓଡ଼ା ମଧ୍ୟରେ ନିୟମିତ ଚଳାଚଳ କରିବ। ଏହା ସପ୍ତାହର ମଙ୍ଗଳବାର ବ୍ୟତୀତ ଅନ୍ୟ ୬ ଦିନ ଚାଲିବ। ଟ୍ରେନ୍‌ଟି ରାଉରକେଲା ଷ୍ଟେସନରୁ ଦିନ ୧ଟା ୪୦ ମିନିଟ୍‌ରେ ଛାଡ଼ି ୩ଟା ୧୫ ମିନିଟ୍‌ରେ ଚକ୍ରଧରପୁର, ୪ଟା ୫ରେ ଟାଟାନଗର, ସଂଧ୍ୟା ୫ଟା ୫୮ ମିନିଟ୍‌ରେ ଖଡ଼ଗପୁର ଓ ରାତି ୭ଟା ୪୦ ମିନିଟ୍‌ରେ ହାଓଡ଼ାରେ ପହଞ୍ଚିବ। ସେହିପରି ସକାଳ ୬ଟାରେ ହାଓଡ଼ା ଷ୍ଟେସନ ଛାଡ଼ି ଦିନ ୧୧ଟା ୫୦ ମିନିଟ୍‌ରେ ରାଉରକେଲାରେ ପହଞ୍ଚିବ। ସକାଳ ୬ଟାରେ ହାଓଡ଼ାରୁ ବାହାରି ୭ଟା ୩୦ ମିନିଟ୍‌ରେ ଖଡ଼ଗପୁର, ୯ଟା ୧୫ ମିନିଟ୍‌ରେ ଟାଟାନଗର, ୧୦ଟା ୮ ମିନିଟ୍‌ରେ ଚକ୍ରଧରପୁରରେ ପହଞ୍ଚିବ। ହାୱଡା-ରାଉରକେଲା ମଧ୍ୟରେ ଦୂରତା ୪୧୩ କିମି ଅତିକ୍ରମ କରିବାକୁ ଟ୍ରେନ୍‌କୁ ମୋଟ ୫ଘଣ୍ଟା ୫୦ ମିନିଟ୍‌ ସମୟ ଲାଗିବ। ମୋଟ ୫ଟି ଷ୍ଟେସନ ଯଥା ହାଓଡ଼ା, ଖଡ଼ଗପୁର, ଟାଟାନଗର, ଚକ୍ରଧରପୁର ଓ ରାଉରକେଲାରେ ଏହାର ରହଣି ହେବ। ଟ୍ରେନ୍‌ରେ‌ ମୋଟ ୮ଟି କୋଚ୍‌ ରହିଛି।

Leave A Reply

Your email address will not be published.