ଭୁବନେଶ୍ବର ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଓଏଲ୍ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ୭୪ ବର୍ଷରେ ପଦାର୍ପଣ କରିଛନ୍ତି ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ମୋଦିଙ୍କ ଜନ୍ମଦିନ ପାଇଁ ଭାରତୀୟ ଜନତା ପାର୍ଟୀ ଅନେକ ପ୍ରକାରର କାର୍ଯ୍ୟକ୍ରମର ଯୋଜନା କରିଛି। ଏସବୁ ମଧ୍ୟରେ ଜନ୍ମଦିନରେ ଓଡ଼ିଶାର ମା, ଭଉଣୀମାନଙ୍କୁ ମୋଦି ଦେବେ ବଡ଼ ଭେଟି। ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପିଏମ୍ ମୋଦି।
ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏନେଇ ନିଜେ ଖୋଦ୍ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ମୋଦି। ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିବେ ମୋଦି। ତାପରେ ବିମାନବନ୍ଦରରୁ ସିଧା ଗାଡ଼କଣ ବସ୍ତି ଅଭିମୁଖେ ଯିବ ମୋଦି। ପରେ ଜନତା ମଇଦାନରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ ପିଏମ୍ ମୋଦି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୮୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍ କରିଛନ୍ତି। ସେ ଟ୍ବିଟ୍ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ନେଇ ଉତ୍ସାହିତ ଥିବା କହିଛନ୍ତି। ସେ ଆହୁରି କହିଛନ୍ତି ସୁଭଦ୍ରା ଯୋଜନା ନାରୀ ସଶକ୍ତୀକରଣକୁ ଆଗକୁ ବଢ଼ାଇବ। ନାରୀଶକ୍ତିକୁ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ଦେବ ବୋଲି ମୋଦି କହିଛନ୍ତି।