୭୪ ବର୍ଷରେ ମୋଦି, ଛୁଟୁଛି ଶୁଭେଚ୍ଛାର ସୁଅ
ଓଏଲ୍ ବ୍ୟୁରୋ: ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ୭୪ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ମୋଦିଙ୍କ ଜନ୍ମଦିନ ପାଇଁ ଭାରତୀୟ ଜନତା ପାର୍ଟୀ ଅନେକ ପ୍ରକାରର କାର୍ଯ୍ୟକ୍ରମର ଯୋଜନା କରିଛି। ଏସବୁ ମଧ୍ୟରେ ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ। ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦି।
୧୯୫୦ ମସିହା ଆଜିର ଦିନରେ ଗୁଜୁରାଟର ଏକ ମଧ୍ୟବିତ୍ତ ପରିବାରରେ ନରେନ୍ଦ୍ର ମୋଦିଙ୍କ ଜନ୍ମ। ସେ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ସ୍ବାଧୀନତା ପରେ ଜନ୍ମଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ତଥା(RSS)ରେ ମାତ୍ର ୮ବର୍ଷ ବୟସରେ ଯୋଗ ଦେଇଥିଲେ ମୋଦି। ୮ ବର୍ଷ ବୟସରୁ ବାଲ୍ ସ୍ବୟଂସେବକ ଭାବେ ଆରଏସ୍ଏସ୍ରେ ଯୋଗ ଦେଇଥିବା ନରେନ୍ଦ୍ର ମୋଦି ବର୍ତ୍ତମାନର ପ୍ରଧାନସେବକ ନରେନ୍ଦ୍ର ମୋଦି ଭାବେ ପରିଚିତ। ମୋଦି ଉଚ୍ଚ ମାଧ୍ୟମିକ ଶିକ୍ଷା ସାରିବା ପରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଗୁଜୁରାଟର ଏକ ଷ୍ଟେସନରେ ଚା’ ବିକ୍ରି କରୁଥିଲେ।
ଯଶୋଦାବେନ ଛମାନାଲ ନାମକ ଏକ ଯୁବତୀଙ୍କୁ ବିବାହ କରିବା ପରେ ସେ ୧୮ ବର୍ଷ ବୟସରେ ଘର ଛାଡି ଥିଲେ। ଏହାପରେ ୧୯୭୧ ମସିହାରେ ଗୁଜୁରାଟ ଫେରିବା ପରେ ଆରଏସ୍ଏସ୍ର ଏକ ପ୍ରମୁଖ ସଦସ୍ୟ ଭାବେ ଯୋଗ ଦେଇଥିଲେ। ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଏହାପରେ ୨୦୧୪ରେ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି। ସେବେଠାରୁ ମୋଦିଙ୍କ ପ୍ରଧାନମନ୍ତ୍ରୀ ଯାତ୍ରା ଜାରି ରହିଛି। ତେବେ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଖୁବ୍ ଅଧିକ।
ପ୍ରଧାମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ୍ସରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆପଣ ଆପଣଙ୍କ ବ୍ୟକ୍ତିତ୍ବ ଏବଂ କୃତିତ୍ବ ବଳରେ ଅସାଧାରଣ ନେତୃତ୍ବ ପ୍ରଦାନ କରିଛନ୍ତି। ଏଥିସହିତ ଦେଶର ସମୃଦ୍ଧି ଓ ପ୍ରତିଷ୍ଠା ବୃଦ୍ଧି କରିଛନ୍ତି। ଆପଣଙ୍କ ଅଭିନବ ପ୍ରୟାସରେ ଓ ନେତୃତ୍ବରେ ଆମ ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେଉ ବୋଲି ରାଷ୍ଟ୍ରପତି କହିଛନ୍ତି।
ସେହିପରି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।