Odisha Link
Bridging the Missing Links in Odisha

ଆଜିଠୁ ପିତୃପକ୍ଷ ଆରମ୍ଭ, ପିତୃପକ୍ଷ କାହିଁକି ପାଳନ କରାଯାଏ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଆଶ୍ବୀନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି। ବୁଧବାର ଠାରୁ ପିତୃପକ୍ଷ ଆରମ୍ଭ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଗହଳି ଦେଖିବାକୁ ମିଳିଛି। ବହୁ ଲୋକ ନିଜ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି।

ସେହିପରି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ତର୍ପଣ କରୁଛନ୍ତି। ଦୀର୍ଘ ୧୫ ଦିନ ଧରି ପିତୃପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧିରହିଥିବା ବେଳେ ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲୁ ରହିବ।

ପିତୃପକ୍ଷ କାହାକୁ କୁହାଯାଏ ?

ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ। ଏହି ପକ୍ଷର ଅମାବାସ୍ୟା ‘ମହାଳୟା ଅମାବାସ୍ୟା’ ନାମରେ ପାଳିତ ହୁଏ । ପିତୃଗଣଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ପିଣ୍ଡଦାନ ଆଦି ପାଳନ କରାଯାଉଥିବାରୁ ଏହାକୁ ‘ପିତୃପର୍ବ’ ମଧ୍ୟ କୁହାଯାଏ। ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠ। ଏହି ଶ୍ରାଦ୍ଧକୁ ମଉଳା ଶ୍ରାଦ୍ଧ ମଧ୍ୟ କୁହାଯାଏ। ଯେଉଁ ତିଥିରେ ପିତାଙ୍କର ମୃତ୍ୟୁ ହୋଇଥାଏ, ସେହି ତିଥିରେ ମହାଳୟା ବିଧିରେ ଶ୍ରାଦ୍ଧ ଦିଆଯାଇଥାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତରପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ। ଶାସ୍ତ୍ର ମତେ, ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନ ଥିଲା। କାରଣ, ଜୀବଦଶାରେ ସେ କେବେ ଅନ୍ନଦାନ କରି ନ ଥିଲେ। ସେଥିପାଇଁ ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ଲାଗି ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା।

ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃପକ୍ଷ। ଏହି ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ ଯଥା ବାହା, ବ୍ରତ ଆଦି କରିବାକୁ ବାରଣ ରହିଛି। ଶାସ୍ତ୍ର ମତରେ ଏହି ଦିନରେ ଦିବଂଗତ ପୂର୍ବଜମାନେ ସୂକ୍ଷ୍ମ ଶରୀରରେ ପୃଥିବୀକୁ ଆସିଥାନ୍ତି। ସେମାନଙ୍କ ସନ୍ତୁଷ୍ଟି ପାଇଁ ଲୋକମାନେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଓ ଦାନ ଆଦି କରିଥାନ୍ତି। ଏହି ପକ୍ଷରେ ପୂର୍ବଜଙ୍କ ଆଶୀର୍ବାଦ ଭିକ୍ଷା କରାଯିବା ସହିତ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରାଯାଇଥାଏ। ସେମାନଙ୍କୁ ଶ୍ରଦ୍ଧା ପୂର୍ବକ ସ୍ମରଣ କରାଯାଏ ଓ ସେମାନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ। ଏହି ସମୟରେ କୌଣସି ଉତ୍ସବ ପାଳନ କରା ଯାଇ ନ ଥାଏ। ଏହି ସମୟକୁ ଅଶୁଭ ମନେ କରାଯାଇ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରାଯାଏନି। ପିତୃପକ୍ଷ ସମୟରେ ଶ୍ରାଦ୍ଧ ଦେଉଥିବା ବ୍ୟକ୍ତି କ୍ଷୌର ହୁଅନ୍ତି ନାହିଁ। ଅନେକ ସେମାନଙ୍କ ପିତରଙ୍କୁ ଗୟାରେ ପିଣ୍ଡ ଦାନ କରିଥାନ୍ତି। ବିଶ୍ୱାସ ରହିଛି, ଏହି ପକ୍ଷରେ ପିତୃଗଣ କୌଣସି ନା କୌଣସି ରୂପରେ ସେମାନଙ୍କ ଦାୟାଦଙ୍କ ପାଖକୁ ଆସନ୍ତି ଓ ଆଶୀର୍ବାଦ କରିଥାନ୍ତି ।

ହିନ୍ଦୁ ଧର୍ମ ଅନୁସାରେ, ଯେଉଁ ସନ୍ତାନମାନେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ, ଦାନ ଆଦି କରନ୍ତି, ସେମାନେ ଅଖଣ୍ଡ ଶାନ୍ତିରେ ଜୀବନ ନିର୍ବାହ କରନ୍ତି। ପିତୃପକ୍ଷ ଅବସରରେ ଶ୍ରୀମନ୍ଦିର ବାହାରେ ଉତ୍ତରପୂର୍ବ କୋଣରେ ମେଘନାଦ ପାଚେରିକୁ ଲାଗି ଭକ୍ତମାନେ ପିଣ୍ଡଦାନ କରିଥାନ୍ତି। ଶ୍ରୀକ୍ଷେତ୍ରର ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁ ତିଳତର୍ପଣ କରିଥାନ୍ତି। ଭୁବନେଶ୍ବର ବିନ୍ଦୁସାଗର ନିକଟରେ ମଧ୍ୟ ପିତୃପକ୍ଷରେ ଶ୍ରାଦ୍ଧ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।

Leave A Reply

Your email address will not be published.