Odisha Link
Bridging the Missing Links in Odisha

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ଅଭିଯୁକ୍ତ ପ୍ରଫେସର

ଓଏଲ୍‌ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଅଭିଯୁକ୍ତ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି। ବିଶ୍ୱବିଦ୍ୟାଳୟ ଆଇସିସି ସୁପାରିଶ ଆଧାରରେ ନିଷ୍ପତି ନିଆଯାଇଛି। ଏହା ସହ କୁଳପତିଙ୍କ ବିନା ଅନୁମତିରେ ହେଡକ୍ଵାଟର ଛାଡିବାକୁ ମନା କରାଯାଇଛି।

ସୂଚନା ଅନୁସାରେ, ବହି ଆଣିବାକୁ ଯାଇଥିବା ବେଳେ ପ୍ରଫେସର ଜଣକ ଅସଦାଚରଣ କରିଥିବା ପୀଡ଼ିତା ଅଭିଯୋଗ ଆଣିଥିଲେ। ପ୍ରାୟ ମାସେ ତଳେ ଅଗଷ୍ଟ ୧୬ରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ୟୁନିଭର୍ସିଟିର ସେକ୍ସୁଆଲ ହାରାସମେଣ୍ଟ ସେଲରେ ସଂପୃକ୍ତ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ। ଏପରିକି କୁଳପତିଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଏହାକୁ ନେଇ ଅସନ୍ତୋଷ ବଢିବା ପରେ ୟୁନିଭର୍ସିଟିର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତନାଘନା ଆରମ୍ଭ କରିଥିଲା।

ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏନଏଚଆରସିରେ ମାମଲା ହୋଇଛି। ସୂଚନା ଅଧିକାର କର୍ମୀ ଏହି ଆବେଦନ କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିଶୁଣି ମାମଲା ଚପାଇଥିବା ଆବେଦନରେ ସେ ଉଲ୍ଲେଖ କରିଛନ୍ତି। ଜଣେ ପ୍ରଫେସର ଛାତ୍ରୀଙ୍କୁ ନିର୍ଯାତନା ଦେବା ଦୁଃଖଦାୟକ। ବିଶ୍ୱବିଦ୍ୟାଳୟରେ ଘଟଣା ଘଟିଥିଲେ ବି କର୍ତ୍ତୃପକ୍ଷ ନୀରବ ଥିଲେ। ପୀଡିତା ଛାତ୍ରୀଙ୍କୁ ବାରମ୍ବାର ଧମକ ଦିଆଯାଉଛି।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଥିଲେ ସୂଚନା ଅଧିକାର କର୍ମୀ। ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ ସୂଚନା ଅଧିକାର କର୍ମୀ। ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରଫେସରଙ୍କ ଚ୍ୟାମ୍ବରରେ ସିସିଟିଭି ଲଗାଇବାକୁ ମଧ୍ୟ ଆବେଦନ କରାଯାଇଥିଲା।

Leave A Reply

Your email address will not be published.