Odisha Link
Bridging the Missing Links in Odisha

ହିନ୍ଦୁ କ୍ରିକେଟରଙ୍କ ସହିତ ବାଂଲାଦେଶରେ ହେଉଛି କି ଭେଦଭାବ ? ଏପର୍ଯ୍ୟନ୍ତ ମାତ୍ର ୧୧ ଜଣ ଖେଳାଳିଙ୍କୁ ମିଳିଛି ସ୍ଥାନ

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୨୯, ୧୯୬୯। ଢାକାରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳା ଯାଉଥିଲା। ପ୍ରଥମ ବ୍ୟାଟିଂ କରୁଥିଲା ପାକିସ୍ତାନ ଟିମ୍‌। ପାକିସ୍ତାନର ଅଷ୍ଟମ ଓ୍ବିକେଟ ପତନ ପରେ ମୈଦାନକୁ ବ୍ୟାଟିଂ କରିବାକୁ ଆସିଥିଲେ ନିୟାଜ ଅହମ୍ମଦ। ସେ ଯେତେବେଳେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ସେତେବେଳେ ସାରା ଷ୍ଟାଡିୟମରେ ବସିଥିବା ଦର୍ଶକ ଏଭଳି ସ୍ବାଗତ କରିଥିଲେ ଯେମିତି ଜଣେ ଟପ୍‌ ଅର୍ଡର ବ୍ୟାଟସମ୍ୟାନ୍‌ ବ୍ୟାଟିଂ କରିବାକୁ ଯାଉଛି।

ନିୟାଜ ଅହମ୍ମଦ ଜଣେ ଭଲ ବ୍ୟାଟସମ୍ୟାନ୍‌ ନଥିଲେ କି ବଙ୍ଗାଳୀ ମଧ୍ୟ ନଥିଲେ। ତାଙ୍କ ଜନ୍ମ ଉତ୍ତର ପ୍ରଦେଶରେ ହୋଇଥିଲା। ସ୍ବାଧୀନତା ପରେ ତାଙ୍କ ପରିବାର ପାକିସ୍ତାନ ପଳାଇଥିଲେ। ହେଲେ ତାଙ୍କୁ ଢାକାରେ ଏଭଳି ସମର୍ଥନ ମିଳିଥିଲା କାରଣ ୧୯୭୧ ମସିହା ପର୍ଯ୍ୟନ୍ତ କୌଣସି ବି ବାଂଲାଦେଶୀ ଖେଳାଳିଙ୍କୁ ପାକିସ୍ତାନ ଟିମରେ ଖେଳିବାକ ସୁଯୋଗ ମିଳିନଥିଲା। ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ନିୟାଜଙ୍କୁ ଦେଇ ଷ୍ଟାଡିୟମରେ ଥିବା ପ୍ରଶଂସକ କରତାଳି ମାରି ସ୍ବାଗତ କରିଥିଲେ। ନିୟାଜ ମାତ୍ର ୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ୧୭ ରନ୍‌ ସ୍କୋର କରିବା ସହିତ ମାତ୍ର ୩ଟି ଓ୍ବିକେଟ ନେଇଥିଲେ।

୧୯୭୧ ମସିହାରେ ବାଂଲାଦେଶ ସ୍ବାଧୀନ ହୋଇଥିଲା। ୧୯୮୬ ମସିହାରେ ବାଂଲାଦେଶ ଦଳ ଦିନିକିଆ କ୍ରିକେଟ ଖେଳିବା ଆରମ୍ଭ କରିଥିଲା। ଦେଶରେ ବଙ୍ଗାଳୀ, ମୁସଲମାନଙ୍କ ସହିତ ଭେଦଭାବ ଦୂର ହୋଇଥିଲା। ହେଲେ ବାଂଲାଦେଶରେ ରହୁଥିବା ହିନ୍ଦୁଙ୍କ ସହିତ ଭେଦଭାବ ଆରମ୍ଭ ହୋଇଥିଲା।

ଭାରତ ସ୍ବାଧୀନତା ପାଇବା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିସାରିଥିଲା। ୧୯୩୨ ମସିହାରେ ଭାରତ ପ୍ରଥମ ଟେଷ୍ଟ ମୁକାବିଲା ଖେଳିଥିଲା। ୧୯୪୭ ମସିହାରେ ଭାରତ ସ୍ବାଧୀନତା ପାଇଥିଲା। ହେଲେ ଭାରତର ଟେଷ୍ଟ ଫଳାଫଳ ପୂର୍ବଭଳି ରହିଥିଲା। ୧୯୫୨ ମସିହାରେ ନୂଆ ଦେଶ ପାକିସ୍ତାନ ଟେଷ୍ଟ କ୍ରିକେଟ ଖେଳିବା ଆରମ୍ଭ କରିଥିଲା। ସେବେଠୁ ୧୯୭୧ ମସିହା ପର୍ଯ୍ୟନ୍ତ ପାକିସ୍ତାନ ଟିମ୍‌ରେ ପଶ୍ଚିମ ପାକିସ୍ତାନର(ବର୍ତ୍ତମାନର ପାକିସ୍ତାନ) ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା। ପାକିସ୍ତାନୀଙ୍କ ଧାରଣା ଥିଲା ଯେ ବଙ୍ଗାଳୀ ଖେଳାଳି ଶାରୀରିକ ଭାବେ ଦୁର୍ବଳ ଓ କ୍ରିକେଟରେ ଭଲ ପ୍ରଦର୍ଶନ କରି ପାରିବେ ନାହିଁ। ଏଥିପାଇଁ ପୂର୍ବ ପାକିସ୍ତାନର ଖେଳାଳିଙ୍କୁ ଦଳରେ ସ୍ଥାନ ମିଳୁ ନଥିଲା।

୧୯୭୧ ମସିହା ପୂର୍ବରୁ ପାକିସ୍ତାନର ମ୍ୟାଚ୍‌ ପୂର୍ବ ପାକିସ୍ତାନର (ଏବର ବାଂଲାଦେଶ) କୌଣସି ସହରରେ ହେଉଥିଲା ସେତେବଳେ ଟୋକନ ସିଷ୍ଟମରେ ଜଣେ ପୂର୍ବ ପାକିସ୍ତାନର ଖେଳାଳିଙ୍କୁ ଦଳରେ ସ୍ଥାନ ମିଳୁଥିଲା। କାରଣ ପୂର୍ବ ପାକିସ୍ତାନର ଦର୍ଶକଙ୍କ ମନ ରଖିବା ପାଇଁ ଏଭଳି କରୁଥିଲା ପାକିସ୍ତାନ ଦଳ। ଟୋକନ ସିଷ୍ଟମରେ ସେହି ଖେଳାଳି ଆସୁଥିଲେ ଯିଏ ବଙ୍ଗାଳୀ ହୋଇ ନଥିେବ। ନିୟାଜ ଅହମ୍ମଦ, ମହମ୍ମଦ ଉଲ ହସନ, ନାସିଲ ଉଲ ଧନୀ ଭଳି ଖେଳାଳିଙ୍କୁ ଦଳରେ ସ୍ଥାନ ମିଳୁଥିଲା। ଯିଏକି ବଙ୍ଗାଳୀ ନୁହନ୍ତି।

ପାକିସ୍ତାନ ୧୯୬୯-୧୯୭୦ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ଦଳରେ ପ୍ରଥମ ଥର ପାଇଁ ଜଣେ ବଙ୍ଗାଳୀ କ୍ରିକେଟରଙ୍କୁ ସ୍ଥାନ ମିଳିଥିଲା। ରକିବୁଲ ହସନ ଦଳରେ ସ୍ଥାନ ପାଇଥିେ। ରକିବୁଲ ଜଣେ ଓପନିଙ୍ଗ ବ୍ୟାଟସମ୍ୟାନ୍‌ ଥିଲେ। ତାଙ୍କ ମାତ୍ର ୧୬ ବର୍ଷ ହୋଇଥିବା ବେଳେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା ହେଲେ ଗୋଟିଏ ବି ମ୍ୟାଚ୍‌ ଖେଳି ପାରିନଥିଲେ। ସେ ୧୨ ତମ ଖେଳାଳି ଭାବେ ଦଳରେ ରହିଥିଲେ। ରକିବୁଲ ୧୯୭୧ ମସିହାରେ କମନଓ୍ବେଲଥ ଟିମ୍‌ ବିପକ୍ଷରେ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ ପାକିସ୍ତାନ ପାଇଁ ଖେଳିଥିଲେ। ତାପରେ ବାଂଲାଦେଶ ସ୍ବାଧୀନ ହୋଇ ଯାଇଥିଲା। ପରେ ରକିବୁଲ ବାଂଲାଦେଶ ପାଇଁ ଖେଳିବା ଆରମ୍ଭ କରିଥିଲେ।

ସ୍ବାଧୀନତା ପରେ ବାଂଲାଦେଶକୁ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଲମ୍ବା ସମୟ ଲାଗିଥିଲା। ବାଂଲା ଦଳ ୧୯୮୬ ମସିହାରେ ଦିନିକିଆ କ୍ରିକେଟ ଖେଳିବା ଆରମ୍ଭ କରିଥିଲା। ବାଂଲାଦେଶ ସ୍ବାଧୀନ ହେବା ପରେ ହିନ୍ଦୁ କ୍ରିକେଟରଙ୍କ ସହିତ ଭେଦଭାବ କରିବା ଆରମ୍ଭ କରି ଦେଇଥିଲା। ପ୍ରଥମ ଥର ପାଇଁ ୨୦୦୦ ମସିହାରେ ବାଂଲାଦେଶ କ୍ରିକେଟ ଟିମରେ ଜଣେ ହିନ୍ଦୁ କ୍ରିକେଟରଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା।

୨୦୦୦ ମସିହାରେ ବାଂଲାଦେଶକୁ ଟେଷ୍ଟ ଷ୍ଟାଟସ୍‌ ମିଳିଥିଲା। ଆଉ ପ୍ରଥମ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲା ବାଂଲାଦେଶ। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ରଞ୍ଜନ ଦାସ ନାମକ ହିନ୍ଦୁ କ୍ରିକେଟରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଥିଲା ବାଂଲାଦେଶ। ତାପରଠୁ ରଞ୍ଜନକୁ ଆଉ ବାଂଲାଦେଶ ଦଳରେ ସ୍ଥାନ ମିଳିନି। ପରେ ରଞ୍ଜନ ଦାସ ନିଜ ଧର୍ମ ବଦଳାଇ ମୁସଲମାନ ହୋଇ ଯାଇଥିଲେ। ତାପରେ ବି ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା।

ବାଂଲାଦେଶ ପାଇଁ ୧୭୪ ଜଣ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି। ସେମଧ୍ୟରୁ ମାତ୍ର ୧୧ ଜଣ ହିନ୍ଦୁ ଖେଳାଳି ବାଂଲାଦେଶ ଦଳରେ ସ୍ଥାନ ପାଇଛନ୍ତି। ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ୯ ପ୍ରତିଶତ। ବିଗତ ୧୦ ବର୍ଷ ମଧ୍ୟରେ ମାତ୍ର ୬ ହିନ୍ଦୁ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି। ୨୦୧୪ ମସିହା ପୂର୍ବରୁ ବାଂଲାଦେଶ ଦଳରେ ମାତ୍ର ୫ ଜଣ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ।

ବାଂଲାଦେଶ ପାଇଁ ଖେଳିଥିବା ହିନ୍ଦୁ ଖେଳାଳି:
ରଞ୍ଜନ ଦାସ: ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ
ଆଲୋକ କପାଲୀ: ୧୭ ଟେଷ୍ଟ, ୬୯ ଦିନିକିଆ ଓ ୭ଟି ଟି-୨୦ ମ୍ୟାଚ୍‌ ଖେଳିଥିଲେ
ତପସ ବେସ୍ୟ: ୨୧ଟି ଟେଷ୍ଟ ଓ ୫୬ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ
ଧୀସନ ଘୋଷ: ୧୪ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିଥିଲେ
ସୁବାଗତ ହୋମ: ୮ଟି ଟେଷ୍ଟ, ୪ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍‌ ଖେଳିଥିଲେ
ସୌମ୍ୟ ସରକାର: ୧୬ଟି ଟେଷ୍ଟ, ୬୯ଟି ଦିନିକିଆ ଓ ୮୫ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି
ଲିଟନ ଦାସ: ୪୩ଟି ଟେଷ୍ଟ, ୯୧ଟି ଦିନିକିଆ ଓ ୮୯ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି
ରୋନୀ ତାଲୁକଦାର: ଗୋଟିଏ ଦିନିକିଆ ଓ ୧୧ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି
ସୁଭାଶିଷ ରୟ: ୪ଟି ଟେଷ୍ଟ ଓ ଗୋଟିଏ ଦିନିକିଆ ଖେଳିଛନ୍ତି
ମୃତ୍ୟୁଞ୍ଜୟ ଚୌଧୁରୀ: ଗୋଟିଏ ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି
ରିପନ ମଣ୍ଡଳ: ଏପର୍ଯ୍ୟନ୍ତ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

Leave A Reply

Your email address will not be published.