Odisha Link
Bridging the Missing Links in Odisha

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପର୍ବରୁ ଗମ୍ଭୀରଙ୍କ ବିସ୍ଫୋରକ ବୟାନ, କହିଲେ-ଏହି ୨ ଖେଳାଳି…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ। ପ୍ରଥମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯିବ। ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଚୂଡ଼ାନ୍ତ ଏକାଦଶକୁ ନେଇ ଦେଇଛନ୍ତି ବଡ଼ ବୟାନ। ମ୍ୟାଚ୍‌ ପୂର୍ବରୁ ଗମ୍ଭୀର ଦୁଇ ଜଣ ଖେଳାଳିଙ୍କ ନାମ କହିଛନ୍ତି ଯିଏ ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ। ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଧ୍ରୁବ ଜୁରେଲ ଓ ସରଫରାଜ ଖାନ ଆସନ୍ତାକାଲି ଖେଳିବେ ନାହିଁ। ଏହି ଦୁଇ ଯବୁ ଖେଳାଳି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଆଉ ଦମଦାର ପ୍ରଦର୍ଶନ ମଧ୍ୟ କରିଥିଲେ। ସରଫରାଜ ଖାନ ୩ଟି ଟେଷ୍ଟରେ ୨୦୦ ରନ୍‌ ସ୍କୋର କରିଥିଲେ। ଯେଉଁଥିରେ ୩ଟି ଅର୍ଦ୍ଧଶତକୀୟ ଇନିଂସ ଖେଳଥିଲେ ସରଫରାଜ। ସେହିପରି ଜୁରେଲ ଗୋଟିଏ ଅର୍ଦ୍ଧଶତକୀୟ ଇନିଂସ ସହିତ ୧୯୦ ରନ୍‌ ସ୍କୋର କରିଥିଲେ।

ଚୂଡ଼ାନ୍ତ ଏକାଦଶରୁ ସରଫରାଜ ଓ ଜୁରେଲ ବାହାର ହେବାର କାରଣ କିଛି ଖେଳାଳି ଟେଷ୍ଟ ଟିମରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଦୁଇ ବର୍ଷ ପରେ ଟେଷ୍ଟ ଟିମକୁ ଫେରିଛନ୍ତି ଋଷଭ ପନ୍ତ। ସେହିପରି କେଏଲ ରାହୁଲ ମଧ୍ୟ ଟେଷ୍ଟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାହୁଲ ଆହତ ହେବା କାରଣରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମାତ୍ର ଗୋଟିଏ ମ୍ୟାଚ ଖେଳିଥିଲେ। ଗମ୍ଭୀର ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ କୌଣସି ଖେଳାଳିଙ୍କୁ ଡ୍ରପ୍‌ କରିବାକୁ ଚାହୁଁନା। ହେଲେ ଚୂଡ଼ାନ୍ତ ଏକାଦଶରେ କେବଳ ୧୧ ଜଣ ଖେଳାଳି ହିଁ ଖେଳିଥାନ୍ତି। ଜୁରେଲ ଓ ସରଫରାଜଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ବୋଲି ଗମ୍ଭୀର କହିଛନ୍ତି।

ସେହିପରି ବିଶ୍ବକପ୍‌ ଜିତିବା ପରେ ଯଶପ୍ରୀତ ବୁମରାହ ମଇଦାନକୁ ଫେରିଛନ୍ତି। ସେ ଶେଷ ମ୍ୟାଚ ଜୁନ୍‌ ମାସରେ ଖେଳିଥିଲେ। ତାହା ପୁଣି ଟି-୨୦ ବିଶ୍ବକପ୍‌ ଫାଇନାଲ ମୁକାବିଲା ଥିଲା। ବୁମରାହଙ୍କୁ ନେଇ ଗମ୍ଭୀର କହିଛନ୍ତି, ବର୍ତ୍ତମାନ ଭାରତୀୟ ଦଳରେ ଖେଳୁଥିବା କ୍ରିକେଟରଙ୍କ ସହିତ ମୁଁ କ୍ରିକେଟ ଖେଳି ସାରିଛି। ସେହି ସମ୍ପର୍କକୁ ଆଗକୁ ନେବାକୁ ଚାହୁଁଛି। ଦଳର ସମସ୍ତ ବରିଷ୍ଠ ଖେଳାଳିଙ୍କ ସହିତ ମୋର ସମ୍ପର୍କ ଭଲ ଥିବା କହିଛନ୍ତି ଗମ୍ଭୀର।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ୍ ରହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ର ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମ୍ରା ଓ ୟଶ ଦୟାଲ।

Leave A Reply

Your email address will not be published.