Odisha Link
Bridging the Missing Links in Odisha

ୱାକିଟକି ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୩୦ ପାର୍

ଓଏଲ୍‌ ବ୍ୟୁରୋ: ଲେବାନନରେ ବଢୁଛି ଆତଙ୍କ। ପେଜର ପରେ ୱାକିଟକିରେ ବିସ୍ଫୋରଣରେ ଭାଗ୍ୟଙ୍କର ସ୍ଥିତି ସୃଷ୍ଟି ହୋଇଛି।ଲେବାନନ୍‌ସ୍ଥିତ ହେଜବୋଲ୍ଲା ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୱକିଟକି ବିସ୍ଫୋରଣ ହୋଇ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ବୁଧବାର ହୋଇଥିବା ଏହି ୱାକିଟକି ବିସ୍ଫୋରଣ ଲେବାନନର ରାଜଧାନୀ ବେରୁଟ୍‌ର ଉପକଣ୍ଠ ସିଡନରେ ହୋଇଛି।

ସୂଚନା ଅନୁସାରେ, ମଙ୍ଗଳବାର ଲେବନାନ୍‌ ଓ ସିରିୟାରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କ ପେଜର ବିସ୍ଫୋରଣ ହୋଇ ୧୨ ଜଣ ପ୍ରାଣ ହରାଇଥିବାବେଳେ ବୁଧବାର ୱାକିଟକି ବିସ୍ଫୋରଣ ଘଟିଛି। ଏହିସବୁ ବିସ୍ଫୋରଣ କିଏ ଓ କିପରି ଘଟାଉଛି ତାର କୌଣସି ସୂଚନା ମିଳିପାରୁ ନାହିଁ। ପେଜର ବିସ୍ଫୋରଣରେ ପ୍ରାୟ ୩ହଜାର ଆହତ ହୋଇଥିବାବେଳେ ୱାକିଟକି ବିସ୍ଫୋରଣରେ ଶତାଧିକ ହେଜବୋଲ୍ଲା ସଦସ୍ୟ ଆହତ ହୋଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ ଏକାଧିକ ସ୍ଥାନରେ ୱାକିଟକି ସହିତ କେତେକ ସ୍ଥାନରେ ସୋଲାର ବିଦ୍ୟୁତ୍ ସିଷ୍ଟମ୍‌ରେ ବିସ୍ଫୋରଣ ହୋଇଥିବା କୁହାଯାଇଛି। ପେଜର ବିସ୍ଫୋରଣ ପାଇଁ ହେଜବୋଲ୍ଲା ଇସ୍ରାଏଲକୁ ଦାୟୀ କରିଥିବାବେଳେ ୱାକିଟକି ବିସ୍ଫୋରଣ ଘଟଣାରେ ମଧ୍ୟ ଅନୁରୂପ ଭାବେ ଇସ୍ରାଏଲକୁ ଦାୟୀ କରିଛି। ମାତ୍ର ଏ ସମ୍ପର୍କରେ କୌଣସି ପ୍ରମାଣ ଉପସ୍ଥାପନ କରାଯାଇ ନାହିଁ। ଇସ୍ରାଏଲ ସହିତ ହେଜବୋଲ୍ଲାର ଶତ୍ରୁତା ଲାଗି ରହିଥିବାରୁ ଏପରି ଅଭିଯୋଗ କରାଯାଇଛି।

ଅନ୍ୟପଟେ, ଇସ୍ରାଏଲ ମଧ୍ୟ ଏହି ପ୍ରସଙ୍ଗରେ କିଛି ପ୍ରତିକ୍ରିୟା ଦେଇ ନାହିଁ। ଇସ୍ରାଏଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହିଁ କି ଏହାକୁ ଅଗ୍ରାହ୍ୟ ମଧ୍ୟ କରିନାହିଁ। ତେବେ ଏହି ଘଟଣାକୁ ବଡ଼ଧରଣର ସୁରକ୍ଷା ଉଲ୍ଲଙ୍ଘନ ବୋଲି ଲେବାନନ୍‌ କହିଛି। ମଙ୍ଗଳବାର ପେଜର ବିସ୍ଫୋରଣ ପରେ ହେଜବୋଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଇସ୍ରାଏଲର ଅସ୍ତ୍ରାଗାରକୁ ନିଶାଣ କରି ହେଜବୋଲ୍ଲା ଏକାଧିକ ରକେଟ୍‌ ମାଡ କରିଛି।

ଏହି ଆକ୍ରମଣ ପରେ ଆଗକୁ ଉଭୟ ପକ୍ଷ ମଧ୍ୟରେ ପ୍ରତ୍ୟକ୍ଷ ଯୁଦ୍ଧ ହେବାର ଆଶଙ୍କା ବଢିଛି। ୱାକିଟକି ହେଉଛି ଏକ ଯୋଗାଯୋଗ ମାଧ୍ୟମ। ଏହି ଓୟାରଲେସ୍ ଯନ୍ତ୍ର ଦ୍ବାରା କମ୍ ଦୂରତା ମଧ୍ୟରେ ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା କରାଯାଇଥାଏ। ଏହାକୁ ଜରୁରୀ ସେବା, ସେନା, ପୁଲିସ ଓ ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ବ୍ୟବହାର କରିଥାନ୍ତି। ଲେବାନନ୍‌ରେ ପେଜର ଓ ୱାକିଟକି ବିସ୍ଫୋରଣ ଘଟଣାରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗୁଟେରସ୍‌ କହିଛନ୍ତି ଯେ ଦୁଇ ପକ୍ଷର ଯୁଦ୍ଧକୁ ନେଇ ସାଧାରଣ ଜନତାଙ୍କ ବ୍ୟବହାର କରୁଥିବା ଉପକରଣକୁ ଅସ୍ତ୍ର ରୂପେ ବ୍ୟବହାର କରାଯିବା ଠିକ୍ ନୁହେଁ।

Leave A Reply

Your email address will not be published.