Odisha Link
Bridging the Missing Links in Odisha

ହରିୟାଣା ନିର୍ବାଚନ: ଦିନକରେ ଜବତ ହେଲା ୨ କୋଟି ୮୪ ଲକ୍ଷ ଟଙ୍କା

ଓଏଲ୍‌ ବ୍ୟୁରୋ: ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ ହେବ ହରିୟାଣା ବିଧାନସଭା ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛି ଅଙ୍କକଷା। ବିଶେଷ ଭାବେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ବିଶେଷ ରଣନୀତି ଆପଣାଇ ଜନତାଙ୍କ ହୃଦୟ ଜିତିବାକୁ କରୁଛନ୍ତି ଜୋରଦାର ପ୍ରୟାସ।

ବର୍ତ୍ତମାନ ରାଜ୍ୟରେ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇ ସାରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ। ଏହି ଚଢ଼ାଉ ସମୟରେ ଗତକାଲି ୩ ଭିନ୍ନ ସ୍ଥାନରୁ ଜବତ ହୋଇଛି ୨ କୋଟି ୮୪ ଲକ୍ଷ ୬୫ ହଜାର ଟଙ୍କା।

ହରିୟାଣା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକିଥିବା ବେଳେ ଅବାଧ ରୂପେ ଯାଉଥିବା ନଗଦ ଟଙ୍କା, ନିଶା ଦ୍ରବ୍ୟ ତଥା ମଦର ଚୋରା କାରବାର ପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ତେଣୁ ବିଭିନ୍ନ ସ୍ଥାନରେ ପୁଲିସ ଚେକିଂ ଅଭିଯାନ ଚାଲୁ ରଖିଥିବା ବେଳେ ଗତକାଲି ବିପୁଳ ପରିମାଣର ଟଙ୍କା ଜବତ କରିଛି।

ଚେକିଂ ବେଳେ ଏକ ଗାଡ଼ିରୁ ୨ କୋଟି ୫୧ ଲକ୍ଷ ୬୫ ହଜାର କ୍ୟାସ୍‌ ଜବତ ହୋଇଥିଲା। ଅନ୍ୟ ଏକ ଗାଡ଼ିରୁ ୨୦ ଲକ୍ଷ ଜବତ ହୋଇଥିଲା। ଏହାପରେ ସୁରଜକୁଣ୍ଡ ରୋଡରୁ ଏକ ଗାଡ଼ିରୁ ୧୩ ଲକ୍ଷ କ୍ୟାସ୍‌ ଜବତ ହୋଇଥିବା ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.