Odisha Link
Bridging the Missing Links in Odisha

ସେପ୍ଟେମ୍ବର ୨୨ରେ ଦେବଦତ୍ତ ପଟ୍ଟନାୟକଙ୍କ ବହି ଉନ୍ମୋଚନ

ଭୁବନେଶ୍ବର: ଶନିବାର ଓଡ଼ିଶା ଆସୁଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକ। ଆସନ୍ତା ରବିବାର ତାଙ୍କ ଲିଖିତ ଇଂରାଜୀ ପୁସ୍ତକ ‘ରାମାୟଣ ଭର୍ସେସ୍‌ ମହାଭାରତ’ର ଓଡ଼ିଆ ଅନୁବାଦ ‘ରାମାୟଣ ବନାମ ମହାଭାରତ’ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ (ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଉପକ୍ରମ) ପକ୍ଷରୁ ପୁସ୍ତକଟି ପ୍ରକାଶ ପାଇବାକୁ ଥିବାବେଳେ ଦେବଦତ୍ତଙ୍କ ଲିଖିତ ମୂଳ ଇଂରାଜୀ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି କବି, ଅନୁବାଦକ ତଥା କିଟ୍‌ ବିଶ୍ବବିଦ୍ୟାଳୟର ଉପକୁଳପତି ତପନ କୁମାର ପଣ୍ଡା।

ରବିବାର ସକାଳ ୧୦ଟାରେ ଜୟଦେବ ବିହାରସ୍ଥିତ ଦି କ୍ରାଉନ ହୋଟଲର ସଭାଗୃହରେ ହେବାକୁ ଥିବା ଉନ୍ମୋଚନ ଉତ୍ସବରେ କଥାଶିଳ୍ପୀ ଓ ସ୍ତମ୍ଭକାର ଡ. ଗୌରହରି ଦାସ, କବି ଓ ଅନୁବାଦକ ଡ. ତପନ କୁମାର ପଣ୍ଡା ଏ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ପୂର୍ବରୁ ଦେବଦତ୍ତଙ୍କର ୪ଟି ପ୍ରସିଦ୍ଧ ପୁସ୍ତକ ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ, ଜଗନ୍ନାଥ ଦେଶର କଥା, ସୀତାଙ୍କ ୫ ଇଚ୍ଛା ଓ ପାଣ୍ଡବଙ୍କ ୬ ଯୁଦ୍ଧ ପେନ୍‌ ଇନ୍‌ ବୁକ୍ସ ଦ୍ବାରା ପ୍ରକାଶ ପାଇ ଓଡ଼ିଶାରେ ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଛି। ରବିବାର ହେବାକୁ ଥିବା ଉତ୍ସବରେ ସାହିତ୍ୟପ୍ରେମୀ, ବୁଦ୍ଧିଜୀବୀ, ଯୁବକ, ଛାତ୍ର ଓ ଆଗ୍ରହୀ ବ୍ୟକ୍ତି ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁଷ୍ଠାନର ନିର୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଅନୁରୋଧ କରିଛନ୍ତି। ଏ ଅବସରରେ ଲେଖକଙ୍କ ସ୍ବହସ୍ତ ସନ୍ତକ ଥିବା ବହି ଉପଲବ୍ଧ ହେବା ସହ ଲେଖକଙ୍କ ସହ ଭାବବିନିମୟର ସୁଯୋଗ ମିଳିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.