ଭରତପୁର ଥାନା ମାମଲା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହ ବିଭାଗର ବିଜ୍ଞପ୍ତି
ଓଏଲ୍ ବ୍ୟୁରୋ: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଦେବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଉପୋରକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହ ବିଭାଗ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁବତୀ, ମେଜର, ପୋଲିସଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନା ମାମଲାର ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ୍ ଦିଆଯାଇଛି। ଏହାସହିତ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଆଇନର ଶାସନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଆସିଛନ୍ତି। ଏହାସହିତ ଭାରତୀୟ ସେନା ପ୍ରତି ମଧ୍ୟ ରାଜ୍ୟ ସରକାରଙ୍କ ସମ୍ମାନ ରହିଛି। ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣଭାବେ ଯତ୍ନବାନ ଅଛନ୍ତି। ଏହି ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀ ମାନଙ୍କୁ ନିଲମ୍ବିତ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ କେସ୍ ମଧ୍ୟ କରାଯାଇଛି। ଘଟଣାରେ ସଂପୃକ୍ତ ଯୁବକ ମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଛି।