ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଥିବା ଏକ ସରକାରୀ ବାସଗୃହ ପରିସରରେ ଏହି ଅଭିଯୋଗ ଶୁଣାଣି ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରବି ନାରାୟଣ ନାଏକ, ସମ୍ପଦ ସ୍ଵାଇଁ ଓ ଗୋକୁଳାନନ୍ଦ ମଲ୍ଲିକ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି।
ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି କେବଳ ଅନଲାଇନରେ ପଞ୍ଜିକରଣ କରିଥିବା ୧୦୦୦ ଜଣ ଅଭିଯୋଗକାରୀଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ମିଳିଛି। ତେବେ ଯେଉଁମାନେ ପଞ୍ଜିକରଣ କରିନାହାନ୍ତି ଏବଂ ଆଜି ଆସିଛନ୍ତି, ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଣପଞ୍ଜିକୃତ କାଉଣ୍ଟର ଖୋଲାଯାଇ ସେମାନଙ୍କର ଅଭିଯୋଗ ପଞ୍ଜୀକୃତ କରାଯାଉଥିବା ବେଳେ ପ୍ରାପ୍ତି ସ୍ବୀକାର ପ୍ରଦାନ କରାଯାଉଛି। ପରବର୍ତ୍ତୀ ସପ୍ତାହରେ ହେବାକୁ ଥିବା ଶୁଣାଣିରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜ ଅଭିଯୋଗ କରିପାରିବେ।