Odisha Link
Bridging the Missing Links in Odisha

ଗୁଣବତ୍ତା ପରୀକ୍ଷାରେ ପାରାସିଟାମଲ୍‌ ବିଫଳ, ୫୩ଟି ଔଷଧକୁ ନେଇ ବଢ଼ିଲା ଚିନ୍ତା

ଓଏଲ୍‌ ବ୍ୟୁରୋ: ଧାର୍ଯ୍ୟ ଗୁଣବତ୍ତାକୁ ପୂରଣ କରିପାରୁନି ମେଡିସନ୍। ପାରାସିଟାମଲ୍‌ ସମେତ ୫୩ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି। ଏଥିରେ ଭିଟାମିନ୍‌, ଡାଇବେଟିସ୍‌ ଏବଂ ରକ୍ତଚାପ ଔଷଧ ସହ ଆଣ୍ଟିବାୟୋଟିକ୍‌ ସାମିଲ ରହିଛି । ଦେଶର ସବୁଠାରୁ ବଡ଼ ଡ୍ରଗ୍‌ ରେଗୋଲେଟୋରି ବଡି ‘ସେଣ୍ଟ୍ରାଲ୍‌ ଡ୍ରଗ୍ସ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ ଏଭଳି ଔଷଧର ତାଲିକା ଜାରି କରିଛି। ପାରାସିଟାମଲ, ପାନ୍‌-ଡି, ଶେଲକାଲ, ଭିଟାମିନ ସି, ବି,ଟେଲ୍‌ମିସାର୍‌ଟାନର ନାହିଁ ଧାର୍ଯ୍ୟ ମାନ ପରୀକ୍ଷାରେ ବିଫଳ ହୋଇଛି।

ସାମ୍ପୁଲ ସବୁ ନିଜ ଉତ୍ପାଦିତ ନୁହେଁ ବୋଲି କମ୍ପାନି କହିଛି। ଏହି ସବୁ ଔଷଧ ହେଟେରୋ ଡ୍ରଗ୍ସ, ଆଲକେମ ଲାବୋରେଟୋରିଜ୍‌, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍‌, କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏବଂ ଫର୍ମାସିଟିକାଲ୍ସ ଲିମିଟେଡ୍‌, ମେଗ ଲାଇଫସାଇନ୍ସେସ, ପ୍ୟୁର ଆଣ୍ଡ କ୍ୟୁର ହେଲ୍ଥ କେୟାର ଏବଂ ଅନ୍ୟ କମ୍ପାନି ଦ୍ବାରା ତିଆରି ହେଉଛି। ପାକସ୍ଥଳୀ ସଂକ୍ରମଣର ଉପଚାର ଲାଗି ବହୁଳ ବ୍ୟବହୃତ ପିଏସୟୁ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍‌ ଲିମିଟେଡ୍‌ ଦ୍ବାରା ପ୍ରସ୍ତୁତ ଔଷଧ ମେଟ୍ରୋନିଡାଜୋଲ୍‌ ମଧ୍ୟ ଗୁଣବତ୍ତା ପରୀକ୍ଷାରେ ଫେଲ୍‌ ହୋଇଛି।

ସେହିଭଳି କୋଲକାତାର ଏକ ଔଷଧ ପରୀକ୍ଷଣ ପ୍ରୟୋଗଶାଳା ଆଲକେମ୍‌ ହେଲ୍ଥ ସାଇନ୍ସର ଆଣ୍ଟିବାୟୋଟିକ୍‌ କ୍ଲେଭମ ୬୨୫ ଏବଂ ପ୍ୟାନ ଡି ମଧ୍ୟ ନକଲି ବୋଲି ଜଣାପଡ଼ିଛି। କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏବଂ ଫାର୍ମାସିଟିକାଲ୍ସ ଲିମିଟେଡ୍ ଦ୍ବାରା ତିଆରି ହେଉଥିବା ପାରାସିଟାମଲ୍‌ ଟ୍ୟାବଲେଟ୍ସ କ୍ବାଲିଟି ଟେଷ୍ଟରେ ଫେଲ୍‌ ହୋଇଛି। ଭାରତୀୟ ଔଷଧ ମାନ ନିୟନ୍ତ୍ରଣ ସଂସ୍ଥା ଦୁଇଟି ତାଲିକା ଜାରି କରିଛି । କ୍ବାଲିଟି ଟେଷ୍ଟରେ ବିଫଳ ହୋଇଥିବା ୪୮ଟି ଲୋକପ୍ରିୟ ଔଷଧକୁ ପ୍ରଥମ ତାଲିକାରେ ରଖାଯାଇଥିବା ବେଳେ ଅନ୍ୟ ୫ଟି ମେଡିସନ୍‌ ଦ୍ବିତୀୟ ତାଲିକାରେ ସାମିଲ ହୋଇଛି।

Leave A Reply

Your email address will not be published.