Odisha Link
Bridging the Missing Links in Odisha

ବିଜେପି ସହ ଯୋଡ଼ିହେବା ପାଇଁ ଜେପି ନଡ୍ଡାଙ୍କ ଆହ୍ୱାନ, କହିଲେ-ଆପଣଙ୍କ ସହଯୋଗ ସର୍ବୋପରି

ଓଏଲ୍‌ ବ୍ୟୁରୋ: ବିଜେପିର ନୂତନ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସଦସ୍ୟତା ଅଭିଯାନ ଜାରି ରହିଛି। ଏସବୁ ଭିତରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ଏହି ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଆମେ ସଂକଳ୍ପବଦ୍ଧ ଅଟୁ। ଏଥିପାଇଁ ଆପଣ ମାନଙ୍କର ସହଯୋଗ ସର୍ବୋପରି ଅଟେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ବିଜେପି ଆପଣଙ୍କୁ ଆହ୍ବାନ କରୁଛି, ଆପଣ ଦଳ ସହ ଯୋଡ଼ି ହୁଅନ୍ତୁ। ଦଳକୁ ମଜବୁତ କରନ୍ତୁ।

ଆଜି ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସଦସ୍ୟତା ଅଭିଯାନ-୨୦୨୪ କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ନଡ୍ଡା ଉପସ୍ଥିତ ବିଭିନ୍ନ ବର୍ଗର ଲୋକଙ୍କୁ ବିଜେପି ସଦସ୍ୟତା ପ୍ରଦାନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ଵ ଗ୍ରହଣ କରିବା ବେଳେ ଭାରତ ବିଶ୍ଵର ୧୧ତମ ବୃହତ୍ ଅର୍ଥନୀତି ଥିଲା। ବର୍ତ୍ତମାନ ଭାରତ ବିଶ୍ଵର ସର୍ବବୃହତ ୫ମ ଅର୍ଥନୀତି ଭାବେ ପରିଗଣିତ ହେଉଛି। ଖୁବଶୀଘ୍ର ଭାରତ ବିଶ୍ଵର ତୃତୀୟ ବୃହତ୍ ଅର୍ଥନୀତିର ମାନ୍ୟତା ପାଇବ। ଭାରତର ବିକାଶ, ସମୃଦ୍ଧି ହିଁ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଦଳର ସଦସ୍ୟତା କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ, ବିଜେପି ଏକ ଗଣତାନ୍ତ୍ରିକ, ବିଚାରଧାରା ଦଳ। ଦଳର ସଦସ୍ୟତା ଅଭିଯାନ ସମାପ୍ତ ହେବାପରେ ମଣ୍ଡଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ରାଜ୍ୟ ସ୍ତରର କର୍ମକର୍ତ୍ତା ଜାତୀୟ ସଭାପତି ନିର୍ବାଚନ କରିବେ। ଏପରି ଗଣତାନ୍ତ୍ରିକ ପ୍ରକ୍ରିୟା କେବଳ ବିଜେପିରେ ହିଁ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଦଳର ଆଭିମୁଖ୍ୟ ସମ୍ପର୍କରେ ମତ ରଖି ଶ୍ରୀ ନଡ୍ଡା ଆହୁରି ମଧ୍ୟ କହିଛନ୍ତି, ଆମ ଦଳ ସମଗ୍ରତାରେ ବିଶ୍ୱାସ ରଖେ। ଆମ ଆମ ନିଜର ବିଚାରଧାରାକୁ ନେଇ ସବୁବେଳେ ଦୃଢ଼ ଏବଂ ଏକନିଷ୍ଠ ରହିଛୁ। ୧୯୫୩ ମସିହାରେ ଯାହା ସଂକଳ୍ପ ରଖିଥିଲୁ, ତାହା ୨୦୧୯ରେ ପୂରଣ କରିଛୁ। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଆମ ଦଳ ଏବଂ ସରକାରର ମୂଳମନ୍ତ୍ର ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୨୦୧୯ରେ ରାଜ୍ୟବାସୀ ଆମକୁ ମୁଖ୍ୟ ବିରୋଧୀ ଆସନରେ ବସାଇଥିଲେ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିବା ବେଳେ ଲୋକେ ଆମକୁ ୧ ନମ୍ବର ଦଳ କରିଛନ୍ତି। ରାଜ୍ୟରେ ୧ କୋଟି ସଦସ୍ୟ ସୃଷ୍ଟି କରିବା ଆମର ଲକ୍ଷ୍ୟ ରହିଛି। ଏହା ନିଶ୍ଚିତ ଭାବେ ପୂରଣ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.