ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, ଦୁର୍ନୀତି କଲେ ମିଳିବ କଡ଼ା ଦଣ୍ଡ

ଓଏଲ୍ ବ୍ୟୁରୋ: ଆଜିଠୁ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରୁଛନ୍ତି ରାଜ୍ୟ ସରକାର। ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଛନ୍ତି। ଜିଲ୍ଲାପାଳ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଜନ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ରାଜ୍ୟର ବିକାଶକୁ ଆଗକୁ ନେବାକୁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ କହିଛନ୍ତି, ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ। ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୁଏ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାପାଳଙ୍କ ହାତରେ ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀ ହୁଏ।
ଦୁର୍ନୀତିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି, ପୁରୁଣା ସରକାର ଷ୍ଟ୍ରାଟେଜି ବିସର୍ଜନ ହୋଇଯାଇଛି। ନୂଆ ସରକାରର ନୂଆ ଆଭିମୁଖ୍ୟ ନେଇ କାମ କରନ୍ତୁ। ଦୁର୍ନୀତିକୁ ସାଲିସ୍ କରାଯିବ ନାହିଁ। ଦୁର୍ନୀତି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବା ସହ ଯଦି କିଛି ଅନିୟମିତତା ହେଉଛି ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।