ଅଶାନ୍ତ ଭଦ୍ରକ, ସ୍ଥିତି ସମୀକ୍ଷା କରୁଛନ୍ତି ପୁଲିସ ଡିଜି

ଓଏଲ୍ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ଅଶାନ୍ତ ହୋଇପଡିଛି ଭଦ୍ରକ। ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା ପାଇଁ ଭଦ୍ରକ ଧାମନଗରରେ ପହଞ୍ଚିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପି ଆଲୋଚନା କରୁଛନ୍ତି। ଏଥିରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍ପି ମଧ୍ୟ ଉପସ୍ଥିତ ରହିଛନ୍ତି।
ସୂଚନା ଅନୁସାରେ, ଭଦ୍ରକ ଗଣ୍ଡଗୋଳ ଘଟଣାରେ ୪୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭଦ୍ରକ ଓ ଧାମନଗର ଉତ୍ତେଜନା ଘଟଣାରେ ଗିରଫ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ପୂର୍ବରୁ ୧୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ଆଉ ୭ ଜଣଙ୍କୁ ପୁଲିସ ଗିରଫ କରିଥିବା ପୂର୍ବାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି। ପୁରୁଣାବଜାର ଥାନା ଅଞ୍ଚଳର ୧୨ ଓ ଧାମନଗର ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏବେ ବି ୧୬୩ ଧାରା ବଳବତ୍ତର ରହିଛି।
ଅନ୍ୟପଟେ, ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖା ଦେଇଥିବା ଉତ୍ତେଜନା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏଥିସହିତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।