Odisha Link
Bridging the Missing Links in Odisha

ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଭାରତକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାକୁ ସେ ଅହରହ ଉଦ୍ୟମ କରୁଥିଲେ। ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି। ରାଜଘାଟରେ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଗାନ୍ଧିଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମୁଠାଏ ଲୁଣକୁ ଗୋଟେ ଜାତିର ସ୍ୱାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା ଅସ୍ତ୍ର ଓ ରକ୍ତପାତରେ ନିଜର ଅଧିକାର ହାସଲ କରିବାର ବାଟ ବତେଇଥିଲେ ମହାତ୍ମା ଗାନ୍ଧୀ। ଦକ୍ଷିଣ ଆଫ୍ରିକାର କଳାଗୋରା ଭେଦଭାବ ବିରୋଧରେ ହେଉ କି ଭାରତର ସ୍ୱାଧୀନତା ସଂଗ୍ରାମ ସବୁଠି ତାଙ୍କ ସତ୍ୟ ଓ ଅହିଂସା ଆଗରେ ପ୍ରତିପକ୍ଷର ଗର୍ବ ଓ ଦମ୍ଭ ଭାଙ୍ଗି ହୋଇଯାଇଛି।

ଆମରଣ ଅନଶନରେ ବସି ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ବାପୁ ବର୍ଷ ବର୍ଷ ଧରି ଫିରିଙ୍ଗୀଙ୍କ କାଳକୋଠରୀରେ ଜେଲଦଣ୍ଡ ଭୋଗିଥିଲେ। ଲାଠି ଓ ସତ୍ୟାଗ୍ରହ ଆଗରେ ସେଦିନର ସାମ୍ରାଜ୍ୟବାଦୀ ବ୍ରିଟିଶ୍‌ ସେନାର ଶକ୍ତି ହାର ମାନିବାକୁ ବାଧ୍ୟ ହୋଇଥିଲା। ସେହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସବୁଆଡେ ତାଙ୍କ ଜୟନ୍ତୀ ପାଳନ କରାଯାଉଛି।

Leave A Reply

Your email address will not be published.