Odisha Link
Bridging the Missing Links in Odisha

ଇସ୍ରାଏଲ୍ ଉପରେ ଇରାନର ରକେଟ୍ ମାଡ଼, ସତର୍କ ରହିବାକୁ ଭାରତୀୟଙ୍କୁ ପରାମର୍ଶ

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ଘନ ଘନ ମିସାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ ହୋଇଛି। ହେଜବୁଲ୍ଲା ମୁଖ୍ୟ ହସରତ୍ ନସ୍ରଲ୍ଲା ନିହତର ଦୁଇ ଦିନ ପରେ ବଦଲା ନେଇଛି ଇରାନ୍। ଗତକାଲି ରାତିରେ ଜୋରଦାର ମିସାଇଲ୍ ମାଡ଼ ହୋଇଛି। ଇସ୍ରାଏଲର ଜାଫା ସୀମା ନିକଟରେ ଥିବା ଜନବସତି ଓ ସେନା ବେସ୍‌ର ବେଶ୍ ନିକଟରେ ଏହି ଆକ୍ରମଣ ହୋଇଛି।

ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ରିଟାଲିଏଟ୍ କରିବା ପୂର୍ବରୁ ହିଁ ଇସ୍ରାଏଲ୍ ଆକାଶରେ ମୃତ୍ୟୁର ତାଣ୍ଡବ ରଚିଛି ଇରାନ। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ କରିଛି। ଲୋକଙ୍କ ଘରେ, ଛାତରେ ଏପରିକି ଏକାଧିକ ଏୟାର୍ ଷ୍ଟ୍ରିପ୍ ଉପରେ ହମଲା ହୋଇଛି। ଫଳରେ ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି। ଇସ୍ରାଏଲର ଏଭଳି ସ୍ଥିତି ଭିତରେ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି। ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି କରାଯାଇଛି। ସୁରକ୍ଷିତ ଓ ସତର୍କ ରହିବାକୁ ସମସ୍ତ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି।

ଇରାନର ରକେଟ୍ ଆକ୍ରମଣରୁ ବର୍ତ୍ତିବା ଲାଗି ଦେଶବ୍ୟାପୀ ସାଧାରଣ ନାଗରିଙ୍କ ପାଇଁ ଆଲର୍ଟ ଜାରି କରିଛି ଇସ୍ରାଏଲ୍। ଖାଲି ସେତିକି ନୁହେଁ ଇସ୍ରାଏଲ୍‌ର ବ୍ୟସ୍ତବହୁଳ ତେଲ ଅବିବ୍ ସହରରେ କିଛି ଆତତାୟୀ ପଶି ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଲାଇଛନ୍ତି। ସେପଟେ ଇରାନ ବହୁତ ବଡ଼ ଭୁଲ କରିଛି, ଏହାର ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁହ ଖୋଲା ଚେତାବନୀ ଦେଇଛନ୍ତି।

ଇସ୍ରାଏଲ୍ ଉପରେ ଇରାନର ହମଲା ପରେ ଆମେରିକା ୱାଶିଂଟନ୍‌ରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଆମେରିକା ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ୱାର୍ ରୁମରେ ଯୁଦ୍ଧ ପରିସ୍ଥିତିର ଅନୁଧ୍ୟାନ ହୋଇଛି। ଇସ୍ରାଏଲକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ ଜଣାଇଛି ଆମେରିକା। ସାମରିକ, ଆର୍ଥିକ ଏବଂ ଅନ୍ୟ ସବୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା ନେଇ ରାଷ୍ଟ୍ରପତି ବାଇଡେନ୍ ଆଶ୍ୱସ୍ତ କରିଛନ୍ତି।

Leave A Reply

Your email address will not be published.