ପ୍ରକାଶ ପାଇଲା ବିଜ୍ଞପ୍ତି, ନଭେମ୍ବର ୩ରୁ ଓଜେଏସ୍ ମୁଖ୍ୟ ପରୀକ୍ଷା
ଓଏଲ୍ ବ୍ୟୁରୋ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍)-୨୦୨୩ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ରାଜ୍ୟର ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ୩ଟି ଜୋନରେ ପରୀକ୍ଷା କରାଯିବ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।
ଓପିଏସସିର ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର ମାସ ୩ ତାରିଖରୁ ଓଜେଏସ-୨୦୨୩ ମୁଖ୍ୟ ଲିଖିତ ପରୀକ୍ଷା ଆରମ୍ଭ ହେବ। ନଭେମ୍ବର ୬ ତାରିଖରେ ଏହି ପରୀକ୍ଷା ସମାପ୍ତ ହେବ। ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିଲା। ମୋଟ ୨୭୭ ଜଣ ପୁରୁଷ ଓ ୪୦୩ ଜଣ ମହିଳା ପ୍ରାର୍ଥୀ ସେଥିରେ କୃତକାର୍ଯ୍ୟ ହୋଇଥିଲେ।