Odisha Link
Bridging the Missing Links in Odisha

ଆଜି ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ, ମନେପଡ଼େ ସେଦିନର କଥା…

ଭୁବନେଶ୍ବର: ଆଜି ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ। ଅନେକ ବୀର ନିଜର ଜୀବନକୁ ବାଜି ଲଗାଇ ଭାରତକୁ ସ୍ୱାଧୀନ କରିଥିଲେ। ସେ ମଧ୍ୟରୁ ଅନ୍ୟତମ ହେଲେ ସହିଦ ବାଜି ରାଉତ। ତେବେ ଆଜି ତାଙ୍କ ଜନ୍ମଦିବସରେ ଆସନ୍ତୁ ଜାଣିବା ଭାରତର ସର୍ବକନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ।

ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତ ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲା ନୀଳକଣ୍ଠପୁର ଗ୍ରାମରେ ତାଙ୍କ ଜନ୍ମ। ବାଜି ରାଉତଙ୍କ ଜନ୍ମ ସମୟରେ ଇଂରେଜ ମାନଙ୍କ ଶାସନରେ ସମଗ୍ର ଦେଶ ପରିଚାଳିତ ହେଉଥାଏ। ଇଂରେଜମାନଙ୍କ ବରୁଦ୍ଧରେ ‘ପ୍ରଜାମଣ୍ଡଳ’ ଦ୍ୱାରା ଭୁବନ ପୁଲିସ ଥାନା ସମ୍ମୁଖରେ ଆନ୍ଦାଳନ ହୋଇଥିଲା। ଜନ ଆକ୍ରୋଶକୁ ପୁଲିସ ଆୟତ କରି ନ ପାରି ଶେଷରେ ଗୁଳିଚାଳନା ଆରମ୍ଭ କରିଥିଲା। ଏହି ଗୁଳିଚାଳନାରେ ଦୁଇଜଣ ‘ପ୍ରଜାମଣ୍ଡଳ’ କାର୍ଯ୍ୟକର୍ତ୍ତା ନିହତ ହୋଇଥିଲେ। ଏହାଦ୍ୱାରା ‘ପ୍ରଜାମଣ୍ଡଳ’ କାର୍ଯ୍ୟକର୍ତ୍ତା ଓ ସାଧାରଣ ନାଗରିକ ମାନଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଥିଲା। ଶେଷରେ ପୁଲିସ ଏହି ଆନ୍ଦୋଳନକୁ ନିୟନ୍ତ୍ରଣ କରିନପାରି ମଧ୍ୟରାତ୍ରରେ ଉକ୍ତ ସ୍ଥାନ ଛାଡି ପଳାୟନ କରିଥିଲା।

ବ୍ରାହ୍ମଣୀ ନଦୀରେ ଥିବା ନୀଳକଣ୍ଠପୁର ଘାଟରେ ଇଂରେଜ ମାନେ ମଧ୍ୟରାତ୍ରରେ ପହଁଞ୍ଚିଥିଲେ। ‘ପ୍ରଜାମଣ୍ଡଳ’ ପରି ଛୋଟ ପିଲାମାନଙ୍କର ମଧ୍ୟ ‘ବାନରସେନା’ ନାମକ ଏକ ସଂଗଠନ ରହିଥାଏ। ଏହି ସଂଗଠନର କର୍ମୀଥିଲେ ‘ବାଜି ରାଉତ’। ଢେଙ୍କାନାଳରେ ପହଁଞ୍ଚିବା ପାଇଁ ଇଂରେଜମାନେ ଘାଟରେ ଥିବା ନାଉରିଆ ମାନଙ୍କୁ ନଦୀପାର କରିବାପାଇଁ କହିଥିଲେ। ୧୨ ବର୍ଷର ବାଳକ ବାଜି ରାଉତ ଇଂରେଜ ମାନଙ୍କୁ ନଦୀପାର କରି ଦେବାକୁ ମନା କରିଥିଲା। ଇଂରେଜମାନଙ୍କ ଆଦେଶକୁ ‘ବାଜି ରାଉତ’ ମାନି ନଥିବାରୁ ଇଂରେଜମାନେ ‘ବାଜି ରାଉତ’କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳିକାଣ୍ଡରେ ‘ବାଜି ରାଉତ’ଙ୍କ ସମେତ ଅନ୍ୟ ଦୁଇ ବାନର ସେନା କର୍ମୀ ଲକ୍ଷଣ ମଲ୍ଲିକ ଓ ଫଗୁ ସାହୁ ନିହତ ହୋଇଥିଲେ।

ଅଜଣା କଥା:

-ବାଜି ରାଉତ ବାପାଙ୍କ ନାମ ଥିଲା ହରି ରାଉତ।
-ପିଲାଟି ବେଳୁ ସେ ବାପାଙ୍କୁ ହରାଇ ମା’ଙ୍କ ଦ୍ୱାରା ପ୍ରତିପାଳିତ ହେଉଥିଲେ।
-ହେତୁ ପାଇଲା ପରେ ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ କରୁଥିବା ଅତ୍ୟାଚାରକୁ ସେ ଅଙ୍ଗେ ନିଭେଇ ଥିଲେ। ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ(ବୀର ବୈଷ୍ଣବ ନାମରେ ଜଣାଶୁଣା) ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏଥିରେ ଯୋଗ ଦେଇଥିଲେ ବାଜି।
-୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ଵେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ତାଙ୍କୁ ପ୍ରଜାମଣ୍ଡଳର ସିପାହୀ କରାଯାଇଥିଲା। ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖିବ।
-ପ୍ରଜାମଣ୍ଡଳର ହୁକୁମ ରକ୍ଷା କରି ସେ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାରି କରିବାକୁ ମନା କରି ସେମାନଙ୍କ ହାତରେ ଜୀବନ ହରାଇଥିଲେ । ବାଜିରାଉତ ସମେତ ଏହି ଘଟଣାରେ ଅନ୍ୟ ୫ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.