Odisha Link
Bridging the Missing Links in Odisha

ବାଜି ରାଉତଙ୍କ ଜନ୍ମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ। ଅନେକ ବୀର ନିଜର ଜୀବନକୁ ବାଜି ଲଗାଇ ଭାରତକୁ ସ୍ୱାଧୀନ କରିଥିଲେ। ସେ ମଧ୍ୟରୁ ଅନ୍ୟତମ ହେଲେ ସହିଦ ବାଜି ରାଉତ। ତେବେ ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟାନୟକ ପ୍ରମୁଖ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ କହିଛନ୍ତି, “ଭାରତର ସର୍ବକନିଷ୍ଠ ବୀର ଶହୀଦ ଓଡ଼ିଶା ମାଟିର ଗର୍ବ ବାଜି ରାଉତଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶର ସ୍ୱାଧୀନତା ପାଇଁ ଖୁବ କମ୍ ବୟସରେ ଇଂରେଜ ବିରୁଦ୍ଧରେ ବୀରତ୍ଵର ସହ ଲଢି ସେ ପ୍ରାଣବଳି ଦେଇଥିଲେ। ଦେଶର ସୁରକ୍ଷା ପାଇଁ ତାଙ୍କର ତ୍ୟାଗ ଏବଂ ବଳିଦାନ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା।”

ବାଜି ରାଉତଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ରାଜଧାନୀର ବୁଦ୍ଧ ପାର୍କରେ ଲୋକଙ୍କୁ ଚାରା ବଣ୍ଟନ କରିବା ସହ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହିତ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ବି ବୃକ୍ଷରୋପଣ କରିଛନ୍ତି। ଏହାଛଡ଼ା ସେ ୟୁନିଟ୍-୮ରେ ଥିବା ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜର ‘ଏକ୍ସ’ରେ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଦେଶର କନିଷ୍ଠତମ ଶହୀଦ ତଥା ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ବାଜି ରାଉତଙ୍କ ସାହସ, ବୀରତ୍ୱ ଏବଂ ବଳିଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଅନନ୍ତ ଉତ୍ସ । ଦେଶ ମାତୃକା ପାଇଁ ତାଙ୍କର ବଳିଦାନ ଯୁବପିଢିଙ୍କୁ ସର୍ବଦା ପ୍ରେରଣା ଯୋଗାଇବ।

ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ୍ସରେ ପୋଷ୍ଟ କରିଛନ୍ତି, “ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ବୀର ବାଜି ରାଉତଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ମାତ୍ର ୧୨ ବର୍ଷ ବୟସରେ ସେ ଦେଖାଇଥିବା ସାହସ ଓ ପରାକ୍ରମ ଚିର ପ୍ରେରଣାର ଉତ୍ସ।”

Leave A Reply

Your email address will not be published.