ଆଜି ସନ୍ଧ୍ୟାରୁ ୧୪ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ
ଓଏଲ୍ ବ୍ୟୁରୋ: ଦୁର୍ଗାପୂଜା ଛୁଟି ପୂର୍ବରୁ ଯାନବାହନ ଚଳାଚଳ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଆଜି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ବନ୍ଦ ଡାକରା ଦେଇଛି। ଆସନ୍ତାକାଲି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଙ୍ଘ କହିଛି।
ରାଜ୍ୟରେ ସମସ୍ତ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍ ଚଳାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ପୂର୍ବରୁ ବିରୋଧ କରି ଆସୁଥିଲା ଘରୋଇ ବସ୍ ମାଲିକ ସଂଘ। ୧୩ ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବ।
ଆଜି ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଛନ୍ତି ସଂଘର ସଦସ୍ୟ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।
ସଂଘଗୁଡିକର ଅଭିଯୋଗ ଯେ, ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟକୁ ପୂର୍ବ ସରକାର ଅମଳରେ ‘ଲକ୍ଷ୍ମୀ ବସ୍’ ଚାଲୁଥିଲା। ଏବେ ଯଦି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରେ, ତେବେ ସେହି କ୍ଷତି ଆଉ ସହିବା ଅବସ୍ଥାରେ ନାହୁଁ। ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆଜିଠୁ ଆନ୍ଦୋଳନର ଧମକ ଦିଆଯାଇଛି।