Odisha Link
Bridging the Missing Links in Odisha

ପରିବାର ଲୋକ ମାନିଲେନି ଗୋଟିଏ କଥା, ୧୩ ଜଣଙ୍କୁ ରୁଟି ଦେଇ ହତ୍ୟା କଲେ ଯୁବତୀ

ଓଏଲ୍‌ ବ୍ୟୁରୋ: ପ୍ରେମ ପାଇଁ ପର ହେଲା ପରିବାର। ଚାଲିଗଲା ଗୋଟିଏ ପରିବାରର ୧୩ ଜୀବନ। ପାକିସ୍ତାନର ସିନ୍ଧ ଅଞ୍ଚଳରୁ ଆସିଛି ଛାତିଥରେଇ ଦେବା ଭଳିଆ ଖବର। ଏଭଳି ଭୟାନକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ଯୁବତୀ ଜଣଙ୍କ ନିଜ ଦୋଷ ସ୍ବୀକାର କରିଛନ୍ତି।

ଯୁବତୀ ଜଣକ ପୁଲିସକୁ କହିଥିବା ଅନୁଯାୟୀ, ଯୁବତୀ ଜଣକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଦୁହେଁ ବିବାହ କରିବାକୁ ଚାହୁଁଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକ ଏଥିରେ ରାଜି ନଥିଲେ। ଏଥିରେ ଅତିଷ୍ଠ ହୋଇ ପଡ଼ିଥିଲେ ପ୍ରେମୀ ଯୁଗଳ। ଯୁବତୀ ଜଣକ ତାଙ୍କ ପ୍ରେମିକ ସହିତ ମିଶି ପରିବାର ଲୋକଙ୍କୁ ମାରିବା ପାଇଁ କରିଥିଲେ ଯୋଜନା। ଯୁବତୀ ଜଣକ ନିଜ ବାପା-ମା’ଙ୍କ ସହିତ ପରିବାର ଅନ୍ୟ ସଦସ୍ୟଙ୍କ ଖାଇବାରେ ବିଷ ମିଶାଇଥିଲେ। ଖାଦ୍ୟ ଖାଇବା ପରେ ପରିବାରର ୧୩ ଜଣଙ୍କ ଜୀବନ ଚାଲି ଯାଇଥିଲା। ପରେ ପ୍ରେମିକଙ୍କ ସହିତ ଫେରାର ହୋଇ ଯାଇଥିଲେ ଯୁବତୀ ଜଣକ।

ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଖାଇବା ପରେ ୧୩ ଜଣ ଅସୁସ୍ଥ ଅନୁଭବ କରିଥିଲେ। ପରେ ମେଡିକାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଯେତେବଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା ସେତେବଳେ ଜଣା ପଡ଼ିଥିଲା ଯେ ଖାଇବାରେ ବିଷ ମିଶିଥିବାରୁ ମୃତ୍ୟୁ ହୋଇଥିଲା। ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରିବା ବେଳେ ଘରେ ଥିବା ଗହମର ପରୀକ୍ଷଶ କରିଥିଲା। ଅଟା ପାଇଁ ବ୍ୟବହୃତ ହୋଇଥିବା ଗହମରେ ବିଷ ମିଶାଇ ଦେଇଥିଲେ ଦୁର୍ବୃତ୍ତ। ଏବେ ଯୁବତୀ ଜଣଙ୍କୁ ଗିରଫ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ଅଗଷ୍ଟ ୧୯ ତାରିଖରେ ଘଟିଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି।

Leave A Reply

Your email address will not be published.