ମୁସଲମାନଙ୍କୁ ଚେତାଇଲେ କେନ୍ଦ୍ରମନ୍ତ୍ରୀ ରିଜିଜୁ

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ଜମ୍ମୁ-କଶ୍ମୀର ଓ ହରିଆଣା ବିଧାନସଭାର ନିର୍ବାଚନ ଫଳାଫଳ। ଏହାପୂର୍ବରୁ ଆସି ସାରିଛି ଏକଜିଟ୍ ପୋଲ୍। ଯେଉଁଥିରେ କଂଗ୍ରେସ ଆଗରେ ରହିଥିବା ସୂଚନା ରହିଛି। ତେବେ ଆସନ୍ତାକାଲି ଫଳାଫଳ ସାମ୍ନାକୁ ଆସିଲେ କିଏ ମାରିବ ବାଜି ତାହା ଜଣାପଡ଼ିବ। ଏସବୁ ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ।
ଏକ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି, କଂଗ୍ରେସ ମୁସଲମାନଙ୍କୁ ନିଜର ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଛି। ତେଣୁ ମୁସଲମାନମାନେ ସତର୍କ ରୁହନ୍ତୁ ବୋଲି ଚେତାଇ ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। କଂଗ୍ରେସ ସର୍ବଦା ବିଭାଜନ ଏବଂ ଶାସନ ନୀତି ଉପରେ ଚାଲିଆସୁଛି। ତେଣୁ ହିନ୍ଦୁ ଏବଂ ମୁସଲମାନମାନେ କଂଗ୍ରେସର ଭୋଟ ବ୍ୟାଙ୍କ ହୁଅନ୍ତୁ ନାହିଁ।
ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନର ପ୍ରକୃତ ରକ୍ଷକ। ସମସ୍ତ ନାଗରିକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଲାଗି ସରକାର ପ୍ରତିଜ୍ଞାବଦ୍ଧ। ମୋଦିଙ୍କ ନେତୃତ୍ଵରେ ଅନେକ କାର୍ଯ୍ୟ କରାଯାଇଛି, ଯାହାକୁ ଦେଖି କଂଗ୍ରେସ ଭୟଭୀତ ହୋଇପଡ଼ିଛି ବୋଲି ସେ କହିଛନ୍ତି। ସୂଚନାଥାଉକି, ବିଜେପି ସମ୍ବିଧାନକୁ ବଦଳାଇବା ଲାଗି ଷଡ଼ଯନ୍ତ୍ର କରୁଛି ବୋଲି କଂଗ୍ରେସ ବାରମ୍ବାର କହିବାରେ ଲାଗିଛି।