Odisha Link
Bridging the Missing Links in Odisha

ନିର୍ବାଚନ ୨୦୨୪: ଗୋଟିଏ ଦିନରେ ପ୍ରକାଶ ପାଇବ ୪୧୯ଟି ଆସନର ଫଳାଫଳ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନର ୩ ମାସ ପରେ ଅନୁଷ୍ଠିତ ହୋଇଥିଲା ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ। ଯାହାର ଫଳାଫଳ ପ୍ରକାଶ ପାଇ ସାରିଛି। ଏବେ ଆଉ ଦୁଇଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯାହାର ଘୋଷଣା ଆଜି କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେବା ସହିତ ୪୮ଟି ବିଧାନସଭା ଓ ୨ଟି ଲୋକସଭା ଆସନରେ ମଧ୍ୟ ଅନୁଷ୍ଠିତ ହେବ ଉପନିର୍ବାଚନ। ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାରେ ନିର୍ବାଚନ ହେବାକୁ ଥିବାବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଆଉ ସେହିପରି ୪୮ଟି ବିଧାନସଭା ଓ ୨ଟି ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟ ଦୁଇଟି ପର୍ଯ୍ୟାୟରେ ହେବ।

ଚଳିତଥର ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ନଭେମ୍ବର ୧୩ ତାରିଖରେ ଓ ୨୦ ତାରିଖରେ ଝାଡ଼ଖଣ୍ଡରେ ହେବ ବିଧାନସଭା ନିର୍ବାଚନ। ସେହିପରି ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ଚଳିତଥର ଝାଡ଼ଖଣ୍ଡ ନିର୍ବାଚନରେ ୨.୬ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ। ସେ ମଧ୍ୟରେ ମହିଳା ଭୋଟର ୧.୨୯ କୋଟି ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୩୧ ରହିଛି। ସେହିପରି ୧୧.୮୪ ଲକ୍ଷ ୧୮ରୁ ୧୯ ବର୍ଷିୟ ଭୋଟର ପ୍ରଥମ ଥର ପାଇଁ ନିଜ ମତ ସାବ୍ୟସ୍ତ କରିବେ। ୬୬.୮୪ ଲକ୍ଷ ଯୁବ ଭୋଟର ଚଳିତ ଥର ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବେ।

ଚଳିତଥର ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ନଭେମ୍ବର ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୫ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିବ। ସେହିପରି ଅକ୍ଟୋବର ୩୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ନିର୍ବାଚନ ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ।

ସେହିପରି ଚଳିତଥର ଗୋଟିଏ ପର୍ଯ୍ୟାୟରେ ହିଁ ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଥିପାଇଁ ୨୨ ଅକ୍ଟୋବରରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ରରେ ନିର୍ବାଚନ ପାଇଁ ଅକ୍ଟୋବର ୨୯ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ସ୍ଥିର ହୋଇଥିବାବେଳେ ନଭେମ୍ବର ୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି। ୨୦ ନଭେମ୍ବରରେ ମହାରାଷ୍ଟ୍ର ମତଦାନ ଗ୍ରହଣ ହେବ। ୨୩ ନଭେମ୍ବର ଭୋଟ ଗଣନା ହେବ। ନଭେମ୍ବର ୨୫ ତାରିଖ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।

ଅପରପକ୍ଷେ ନଭେମ୍ବର ୧୩ ତାରିଖରେ ଦେଶର ୪୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିନ ହେବ। ସେହିପରି ନଭେମ୍ବର ୨୦ ତାରିଖରେ ଗୋଟିଏ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେ।

ସବୁଠୁ ବଡ଼କଥା ହେଲା ନଭେମ୍ବର ୧୩ ଓ ୨୦ ତାରିଖରେ ଦେଶର ମୋଟ ୪୧୯ଟି ଆସନରେ ମତଦାନ ହେବ। ଆଉ ସମସ୍ତ ଆସନର ଫଳାଫଳ ଗୋଟାଏ ଦିନରେ ପ୍ରକାଶ ପାଇବ। ନଭେମ୍ବର ୨୩ ତାରିଖରେ ଦେଶର ୪୧୯ଟି ଆସନରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.