Odisha Link
Bridging the Missing Links in Odisha

ବିଜେଡି ପରାଜୟକୁ ନେଇ ବଢୁଛି ବିବାଦ, ପାଣ୍ଡିଆନଙ୍କୁ ଦୋଷ ଦେଲେ ପାଟ୍ଟଶାଣୀ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା ବୟାନବାଜିିକୁ ନେଇ ପ୍ରସନ୍ନ ପାଟ୍ଟଶାଣୀ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ବିଜେଡି ଲୋକ। ମୋ ଜନ୍ମ ଜାତକରେ ମୋ ନା ପଢିବେ।

ବିଜେଡି ପରାଜୟକୁ ନେଇ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ଦଳ ଗଢିକି ଦଳ ଛାଡିଲା ବେଳେ ବଡ଼ ଦୁଃଖ ଲାଗେ। ମୁଁ କେବେ ବି ଦଳ ଛାଡ଼ିକି ଆସିନଥାନ୍ତି। ଅମର ଶତପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି। ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ। ମୁଁ ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି।

ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା। ବିଜେଡିରେ ତ କେହି ନବୀନଙ୍କ ବିରୋଧରେ କହୁ ନାହାନ୍ତି। ପାଣ୍ଡିଆନଙ୍କୁ କାହିଁକି କହୁଛନ୍ତି। ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି। ପାଣ୍ଡିଆନ ପଛରେ ଧାଇଁଲେ କ’ଣ ହେବ। ଲୋକ ମାନେ ଯେଉଁ ଦଳକୁ ଫୋପାଡି ଦେଲେ ସେ ଦଳର କ’ଣ ହେବ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା ବୟାନବାଜିିକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଗଣମାଧ୍ୟମକୁ ଅମର ଶତପଥୀ କହିଛନ୍ତି, ଦିନ ଥିଲା ମୁଁ ବିଜେଡିରେ ଟିକେଟ୍‌ ବାଣ୍ଟୁଥିଲି। ଏବେ କିନ୍ତୁ କିଛିଦିନ ହେଲା ସକ୍ରିୟ ରାଜନୀତିରୁ ନିବୃତ ରହିଛି। ବର୍ତ୍ତମାନ ଆଉ ବିଜେଡିରେ ନାହିଁ। ଏବେ ସ୍ବାଧୀନ ବୋଲି କହିଛନ୍ତି ଅମର ଶତପଥୀ। ସଭ୍ୟ ସଂଗ୍ରହ ଅଭିଯାନରେ ସଭ୍ୟପଦ ନବୀକରଣ କରିନି। ଏବେ ଆଉ ବିଜେଡିର ସଦସ୍ୟ ନାହିଁ।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଥିଲେ ଯେ ଦଳରେ ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡି ଚାଲିଯାଆନ୍ତୁ। ସେ ନିଜ ପୁତୁରାଙ୍କୁୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି ଏବେ ନିଜେ ଲାଇନରେ ଅଛନ୍ତି। ଅମର ଦଳ ଛାଡିଲେ ବିଜେଡିରେ ପଇସାକର ବି ପ୍ରଭାବ ପଡିବନି। ବିଜେଡି ତାଙ୍କୁ ପରିଚୟ ଦେଇଛି,ସ୍ଥିତି ଦେଇଛି । କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି। ଯାହା କେବେବି ଗ୍ରହଣଯୋଗ୍ୟ ନୁହେଁ ବୋଲି ଅମର ଶତପଥୀ କହିଛନ୍ତି।

Leave A Reply

Your email address will not be published.