ୱାଇ ପ୍ଲସ୍ ସୁରକ୍ଷା ଭିତରେ ସଲମାନ ଖାନଙ୍କୁ ହତ୍ୟା ଧମକ

ଓଏଲ୍ ବ୍ୟୁରୋ: ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏବେ ଅଭିନେତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏହି ହତ୍ୟାକାଣ୍ଡ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେବା ସହ ସମଗ୍ର ବଲିଉଡରେ ଶୋକର ଛାୟା ଖେଳାଇ ଦେଇଛି। ଏବେ ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଭିତରେ ମଧ୍ୟ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ଦିଆଯାଇଛି।
ହ୍ବାଟ୍ସ ଆପରେ ମୁମ୍ବାଇ ଟ୍ରାଫିକ୍ ପୁଲିସ ପାଖକୁ ଆସିଛି ଧମକ ପୂର୍ଣ୍ଣ ମେସେଜ୍। ଏଥିରେ ସଲମାନ ଖାନଙ୍କୁ ୫ କୋଟି ଟଙ୍କା ମଗାଯାଇଛି। ଯଦି ବଞ୍ଚିବାକୁ ଚାହୁଁଛ ତେବେ ୫ କୋଟି ଦିଅ ବୋଲି ମେସେଜରେ ଲେଖା ରହିଛି। ଏହି ମେସେଜକୁ ହାଲକା ଭାବେ ନନେବାକୁ କୁହାଯାଇଛି। ଲରେନ୍ସ ବିଷ୍ଣୋଇ ସହ ଶତୃତା ସମାପ୍ତ ପାଇଁ ଚାହୁଁଥିଲେ ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି। ଯଦି ୫ କୋଟି ଟଙ୍କା ନ ଦିଅନ୍ତି ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଛି।
ସୂଚନା ଅନୁସାରେ, ଗତକାଲି ରାତିରେ ମୁମ୍ବାଇ ପୁଲିସ ଏହି ଧମକ ପୂର୍ଣ୍ଣ ମେସେଜ ପାଇଛି। ଗତ କିଛି ଦିନ ତଳେ ମହାରାଷ୍ଟ୍ରର NCP ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୁପାରୀ ଦେଇ ହତ୍ୟା କରାଯାଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଥିଲା। ତେବେ ହତ୍ୟାକାଣ୍ଡର ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି।