Odisha Link
Bridging the Missing Links in Odisha

ପୁରୀ ଆସିବେ ମହାମହିମ, ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ଓଏଲ୍‌ ବ୍ୟୁରୋ: ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତମାସ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ୩ ଦିନିଆ ଗସ୍ତରେ ଆସି ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟସୂଚୀ ରହିଛି। ୨୪ ତାରିଖ ଦିନ ୧୧ଟା ୨୦ରୁ ଅଧଘଣ୍ଟା ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଛତିଶା ନିଯୋଗ ବୈଠକ ଡାକିଲା ଶ୍ରୀମନ୍ଦିର ପ୍ରଶାସନ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଓ ସୁରକ୍ଷାକୁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହି ଶୃଙ୍ଖଳା ନୀତିକାନ୍ତି ଓ ଶୃଙ୍ଖଳିତ ଦର୍ଶନକୁ ନେଇ ଆଲୋଚନା କରାଯିବ।

ସମ୍ଭାବ୍ୟ ଗସ୍ତସୂଚୀ ଅନୁସାରେ, ୨୩ ତାରିଖ ସକାଳ ୯.୨୫ ମିନିଟରେ ରାଷ୍ଟ୍ରପତି ପଶ୍ଚିମବଙ୍ଗ କଲେଇକୁଣ୍ଡା ବିମାନ ବନ୍ଦରରୁ ବାହାରିବେ। ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ସେ ପୂର୍ବାହ୍ନ ପ୍ରାୟ ୯.୫୫ ମିନିଟରେ ମୟୂରଭଞ୍ଜର ବାଙ୍ଗିରିପୋଷି ହେଲିପ୍ୟାଡରେ ପହଞ୍ଚିବେ। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ରେଳ ଲାଇନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ସହ ଭିସି ଜରିଆରେ ରାଇରଙ୍ଗପୁରରେ ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ ଏବଂ ଉପଖଣ୍ଡ ଚିକିତ୍ସାଳୟ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ।

ବାଙ୍ଗିରିପୋଷି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ମଧ୍ୟାହ୍ନରେ ରଙ୍ଗମାଟିଆ ହେଲିପ୍ୟାଡରେ ଓହ୍ଲାଇ ଉପରବେଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରବାକୁ ଯିବେ। ଅପରାହ୍ନ ୧.୧୦ରୁ ୧.୪୦ ଯାଏଁ ରାଷ୍ଟ୍ରପତି ଉପରବେଡା ଘରେ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିବେ। ରାଇରଙ୍ଗପୁରରେ ମଧ୍ୟାନ୍ନ ଭୋଜନ ପରେ ରାଷ୍ଟ୍ରପତି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ‘ଏଏଲଏସ ଟ୍ରଷ୍ଟ’ ତରଫରୁ ପ୍ରଦତ୍ତ ଆମ୍ବୁଲାନ୍ସକୁ ଲୋକାର୍ପଣ କରିବେ। ପରେ ସେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହ ଭାବ ବିନିମୟ କରିବେ। ସଂଧ୍ୟାରେ ରାଇରଙ୍ଗପୁର ପୁଣ୍ୟେଶ୍ୱର ମହାଦେବ ମନ୍ଦିର ଯାଇ ନବନିର୍ମିତ ଶ୍ରୀ ଗଣେଶଙ୍କ ପ୍ରତିମା ଅନାବରଣ କରିବେ। ସେଦିନ ରାଷ୍ଟ୍ରପତି ରାଇରଙ୍ଗପୁରରେ ଅବସ୍ଥାନ କରିବେ।

୨୪ ତାରିଖ ସକାଳୁ ରାଷ୍ଟ୍ରପତି ରାଇରଙ୍ଗପୁରରୁ ବାହାରି ଦାଣ୍ଡବୋଷ ବିମାନ ବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ। ପୂର୍ବାହ୍ନ ୧୦.୪୫ ରେ ତାଳବଣିଆ ହେଲିପ୍ୟାଡରେ ଓହ୍ଲାଇବେ। ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ ଓ ଆଳତୀ କରିବେ। ସେଦିନ ୧୨.୧୦ରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ଅପରାହ୍ନରେ ଭୁବନେଶ୍ୱର ଫେରିବେ।

ଅପରାହ୍ନ ୪.୧୫ ରେ ‘ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ’ର ୪୦ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ। ସଂଧ୍ୟା ୬ରେ ନବନିର୍ମିତ ବିଚାର ବିଭାଗୀୟ କୋର୍ଟ କମ୍ପ୍ଲେକ୍ସକୁ ରାଷ୍ଟ୍ରପତି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ। ୨୫ ତାରିଖ ସକାଳ ୯.୩୦ରେ ଭୁବନେଶ୍ୱର ନୀଳାଦ୍ରୀ ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂତନ ପ୍ରତିମୂର୍ତ୍ତିର ଅନାବରଣ କରିବେ। ପୂର୍ବାହ୍ନ ୧୦.୨୦ ରେ ସେ ଭାରତୀୟ ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ରାୟପୁର ଅଭିମୁଖେ ଯାତ୍ରା କରିବେ।

Leave A Reply

Your email address will not be published.