Odisha Link
Bridging the Missing Links in Odisha

ବିବାଦରେ କଂସ ମହାରାଜ

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୦୨୫ ଜାନୁଆରୀ ୩ରୁ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ। ତେବେ ଧନୁଯାତ୍ରା ମହୋତ୍ସବର ଅବ୍ୟବହିତ ପୂର୍ବରୁ କଂସ ଅଭିନେତା ହୃଷୀକେଶ ଭୋଇ ପୁଣି ବିବାଦୀୟ ହୋଇପଡ଼ିଛନ୍ତି। ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ଅନ୍ୟତ୍ର କେଉଁଠି ମଧ୍ୟ କଂସ ଅଭିନୟ କରି ପାରିବେ ନାହିଁ ବୋଲି କଟକଣା ଥିବାବେଳେ କିଛିବର୍ଷ ତଳେ ଧର୍ମଶାଳା ମହୋତ୍ସବରେ କଂସ ଅଭିନୟ କରି ହୃଷୀକେଶ ବିବାଦ ଘେରକୁ ଆସିଥଲେ। ମାତ୍ର ସେତେବେଳେ କ୍ଷମା ପ୍ରାର୍ଥନା କରିବାରୁ ଧନୁଯାତ୍ରା ମହୋତ୍ସବ ସମିତି ପୁଣି ତାଙ୍କୁ କଂସ ଅଭିନୟର ସୁଯୋଗ ଦେଇଥିଲା। କିନ୍ତୁ ଏଥର ଅଭିନୟ ନୁହେଁ, ତାଙ୍କ ପେସାକୁ ନେଇ ସେ ବିବାଦୀୟ ହୋଇ ପଡ଼ିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଜିଲା ମଧ୍ୟରେ ମହାପ୍ରୟାଣ ଗାଡ଼ିରେ ମୃତଦେହ ନେବା ସମ୍ପୂର୍ଣ୍ଣ ମାଗଣା ଥିବାବେଳେ ସେ ଜଣେ ମୃତକଙ୍କଠାରୁ ୩ହଜାର ଟଙ୍କା ନେଇ ନିଜ ପେସାରେ କଳାଦାଗ ବୋଳି ବିବାଦ ଘେରକୁ ଆସିଛନ୍ତି। ଅଭିଯୋଗ ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ କରୁଛି। ହୃଷୀକେଶଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା ଏବଂ କାରଣ ଦର୍ଶାଅ ନୋଟିସ୍‌ ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ନିଜ ସ୍ପଷ୍ଟୀକରଣ ଦେଇଥିବା ହୃଷୀକେଶ କହିଛନ୍ତି।

Leave A Reply

Your email address will not be published.