Odisha Link
Bridging the Missing Links in Odisha

ନିଗମ ଲଡ଼ୁ କେବେ ବାଣ୍ଟିବେ ମୋହନ ସରକାର ?

ଓଏଲ୍‌ ବ୍ୟୁରୋ: ସରିଲା ଦଶହରା। ଆଗକୁ ଆସୁଛି ଦୀପାବଳି। ହେଲେ ଏପର୍ଯ୍ୟନ୍ତ ନେତାଙ୍କୁ ମିଳିଲାନି ପାର୍ବଣ ଲଡ଼ୁ। ପ୍ରଥମ ଥର ପାଇଁ ସରକାରକୁ ଆସିଥିବା ଭାରତୀୟ ଜନତା ପାର୍ଟି ଦଳର ବିଧାୟକ ଓ ନେତାମାନଙ୍କୁ ଦଶହରା ଭେଟି ଦେଇ ପାରିଲା ନାହିଁ। ୨୪ ବର୍ଷର ସରକାରକୁ ପଛରେ ପକାଇ ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଥିବା ବିଜେପି ସରକାରକୁ ୪ ମାସ ପୂରିଲାଣି ହେଲେ ଏପର୍ଯ୍ୟନ୍ତ ରାଜ୍ୟ ଯୋଜନା ବୋର୍ଡ, ନିଗମ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିପାରୁ ନାହିଁ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି।

ଏହି ପ୍ରସଙ୍ଗରେ ବିଜେପିକୁ ବିଜେଡି ଟାର୍ଗେଟ କରିଥିବା ବେଳେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ ନିଗମ ନିଯୁକ୍ତିକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। ବର୍ତ୍ତମାନ ସଦସ୍ୟତା ଅଭିଯାନ ଚାଲିଛି। ତାପରେ ନିଗମ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ ମନମୋହନ। ଅନ୍ୟପଟେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ ବିଜେପି ଦଳକୁ ଘାରିଛି ନିଗମର ଭୟ ,ଯେଉଁଦିନ ନିଗମ ଗଠନ ହେବ ସେବେ ଦଳ ଭାଙ୍ଗିବା ପ୍ରକିୟା ଆରମ୍ଭ ହୋଇଯିବ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନେତାମାନଙ୍କୁ ନିଗମ ଲଡ଼ୁ ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲ ଆଲୋଚନା କରିଛନ୍ତି। ୨୦୦୯ ପରଠାରୁ ବିଜେପି କ୍ଷମତାର ସ୍ୱାଦ ଚାଖିପାରିନଥିଲା। ଏତେଦିନ ପରେ କ୍ଷମତା ମିଳିଥିବାରୁ ଦଳର ଅନେକ ଆଗଧାଡ଼ିର ନେତା ନିଗମ ଅଧ୍ୟକ୍ଷ ହେବାପାଇଁ ମନ ବଳାଇଛନ୍ତି। ସମୀର ମହାନ୍ତି, ସଜ୍ଜନ ଶର୍ମା, ମନୋଜ ମହାପାତ୍ର, ଅନୀଲ ବିଶ୍ୱାଳ, ଦିଲୀପ ମହାନ୍ତି, ଗୋଲକ ମହାପାତ୍ରଙ୍କୁ ଭଲ ଭଲ ନିଗମ ମିଳିବ ବୋଲି ଚର୍ଚ୍ଚା ହେଉଛି।

ସେହିପରି ତେଜେଶ୍ୱର ପରିଡ଼ା, ଉମାକାନ୍ତ ପଟ୍ଟନାୟକ, ଯତୀନ ମହାନ୍ତି, ସୁଦୀପ୍ତ ରାୟ ବି ନିଗମ ଅଧ୍ୟକ୍ଷ ପାଇବେ ବୋଲି ଆଶା ରଖିଛନ୍ତି। ନିଗମ ଓ କମିଶନ ଅଧ୍ୟକ୍ଷ ପଦରେ କେତେକ ମହିଳା ନେତ୍ରୀଙ୍କୁ ମଧ୍ୟ ସୁଯୋଗ ମିଳିବ। ସେହିପରି ଏସସି ଏସଟି ମୋର୍ଚ୍ଚା, କୃଷକ ମୋର୍ଚ୍ଚା ଓ ଅନ୍ୟ ଛାମୁଆ ସଂଗଠନର ନେତାଙ୍କୁ ବି ସୁଯୋଗ ଦିଆଯିବ। ରାଜ୍ୟରେ ଯେଉଁସବୁ ଜିଲ୍ଲାକୁ ମନ୍ତ୍ରୀ ପଦ ମିଳିନାହିଁ ସେଠାକାର ନେତାଙ୍କୁ ବି ସୁଯୋଗ ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.