Odisha Link
Bridging the Missing Links in Odisha

ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆଉ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ। ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ ନିବେଶକ ସମ୍ମିଳନୀରେ ଘୋଷଣା କରିଛନ୍ତି ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ। ଗ୍ରୀନ୍‌ ଆଲୁମିନିୟମ ଉତ୍ପାଦନ ପାଇଁ ୬ ଏମ୍‌ଟିପିଏ ଆଲୁମିନା ରିଫାଇନାଣି ଏବଂ ୩ ଏମଟିପିଏ ଆଲୁମିନିୟମ ପ୍ଲାଣ୍ଟ ପ୍ରତିଷ୍ଠା ବେଦାନ୍ତ କରିବ ବୋଲି ସୂଚନା ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ମୁମ୍ବାଇ ଠାରେ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲଙ୍କୁ ସାକ୍ଷାତକରି ରାଜ୍ୟରେ ବେଦାନ୍ତ ଆଲୁମିନିୟମର ସଂପ୍ରସାରଣ ଏବଂ ନିବେଶ ସମ୍ପର୍କରେ ବିସ୍ତୃତ ଆଲୋଚନା କଲି।
ରାଜ୍ୟରେ ବହୁତ ଶୀଘ୍ର ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ଆୟୋଜନ କରାଯିବ। ନିବେଶ ପାଇଁ ସ୍ଵତନ୍ତ୍ର ପ୍ରୋତ୍ସାହନ ସହିତ ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ। ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ‘ପୂର୍ବୋଦୟ ବିକାଶ’ର କେନ୍ଦ୍ରବିନ୍ଦୁ ସାଜିବ।

୨୦୨୨ ମସିହାରେ ମୁମ୍ବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶାରେ ୨୫ହଜାର କୋଟି ନିବେଶ କରିବା ପାଇଁ ଘୋଷଣା କରିଥିଲେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ। ଆଲୁମିନିୟମ, ଫେରୋକ୍ରମ ଓ ଖଣି ଭଳି ବ୍ୟବସାୟ ସମ୍ପ୍ରସାରଣ ଲକ୍ଷ୍ୟ ରଖାଯାଇଛି। ଝାରସୁଗୁଡ଼ାରେ ସ୍ଥାପନ ହେବ ବୃହତ ଆଲୁମିନିୟମ ପାର୍କ। ବର୍ତ୍ତାମନ ସୁଦ୍ଧା ରାଜ୍ୟରେ ୮୦ହଜାର କୋଟିର ନିବେଶ କରିସାରିଛି ବେଦାନ୍ତ।

Leave A Reply

Your email address will not be published.