Odisha Link
Bridging the Missing Links in Odisha

୨୪ରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଓଏଲ୍‌ ବ୍ୟୁରୋ: ଜଗା ଦର୍ଶନ କରିବେ ମହାମହିମ। ଆସନ୍ତା ୨୪ ତାରିଖ ଦିନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କ ଦର୍ଶନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାବଳୀକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ରାଷ୍ଟ୍ରପତି ଦିନ ୧୨ଟା ୩୦ରୁ ୧ଟା ୧୫ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ୨୪ତାରିଖ ଦିନ ୧୧ଟାରେ ଶ୍ରୀମନ୍ଦିର ଶୋଧ କରାଯିବ। ସେହି ସମୟ ଅର୍ଥାତ୍ ଦିନ ୧୧ଟାରୁ ଆଉ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ। ରାଷ୍ଟ୍ରପତି ଶ୍ରୀଜୀଉଙ୍କ ଦର୍ଶନ କରି ପ୍ରତ୍ୟାବର୍ତ୍ତନ ପରେ ଅବଶିଷ୍ଟ ଦୈନନ୍ଦିନ ନୀତି ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ରାଷ୍ଟ୍ରପତି ଗର୍ଭଗୃହରେ ଦର୍ଶନ କରିବା ସମୟରେ ସମ୍ପୃକ୍ତ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସେବକ ଗର୍ଭଗୃହରେ ନ ରହିବାକୁ ଅନୁରୋଧ କରାଯାଇଛି।

ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ, ୨୩ ତାରିଖ ରାତ୍ର ୧୧ଟାରେ ପହୁଡ଼ ନୀତି ସମାପନ ପାଇଁ ସ୍ଥିର ହୋଇଛି। ସେହିପରି ୨୪ତାରିଖ ରାତ୍ର ୩ଟାରୁ ଦ୍ବାରଫିଟା ପାଇଁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ଦିନ ୧୧ଟା ୪୫ସୁଦ୍ଧା ବାଳଧୂପ ଶେଷ ହୋଇ ଭୋଗମଣ୍ଡପ ଉଠିବା ସହ ବେଶ ଶେଷ ପାଇଁ ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.