Odisha Link
Bridging the Missing Links in Odisha

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ମଙ୍ଗଳବାରଠୁ ବର୍ଷା

ଓଏଲ୍‌ ବ୍ୟୁରୋ: ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଆଜି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହାପରେ ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଅବପାତରେ ପରିଣତ ହୋଇପାରେ । ବର୍ତ୍ତମାନ ଓଡିଶା ଉପରେ ଏହାର ପ୍ରଭାବ ନାହିଁ । ଆଣ୍ଡାମାନ ସାଗର ଓ ନିକଟବର୍ତ୍ତି ଅଞ୍ଚଳରେ ବର୍ଷା ସହ କୋହଲା ପାଗ ସୃଷ୍ଟି କରିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଧିରେ ଧିରେ ବଙ୍ଗୋପସାଗର ଅଶାନ୍ତ ହେବା ସହ ପବନ ବେଗ ବଢିବ ।

ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୩ ତାରିଖରୁ ଉପକୂଳ ଓଡ଼ିଶା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ବି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଏଯାଏଁ ବାତ୍ୟା ଉପରେ କୌଣସି ଆକଳନ କରାଯାଇନଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.