Odisha Link
Bridging the Missing Links in Odisha

ବାତ୍ୟା ପାଇଁ ସରକାର ପ୍ରସ୍ତୁତ, ଭୟଭୀତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ

ଓଏଲ୍‌ ବ୍ୟୁରୋ: ବଢୁଛି ବାତ୍ୟା ଭୟ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ବାତ୍ୟାକୁ ନଜରରେ ରଖି ଏସ୍ଆରସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କୁ ସତର୍କ କରାଇଅଛନ୍ତି ଏସ୍ଆରସି।

ସମ୍ଭାବ୍ୟ ବାତ୍ୟା ନେଇ ସରକାର ସଜାଗ ଥିବା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଭୟଭୀତ ହୁଅନ୍ତୁ ନାହିଁ। ମୁଖ୍ୟ ସଚିବ ଓ SRC ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସନ୍ଧ୍ୟାରେ ମୁଁ ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିବି। ଜଳବନ୍ଦୀ ସ୍ଥିତି ପାଇଁ ଓଡ୍ରାଫ ଟିମ୍‌ ପ୍ରସ୍ତୁତ ଅଛନ୍ତି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ।ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପ୍ରସ୍ତୁତ ଅଛନ୍ତି। ଓଡ଼ିଶାର ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାର କବଚ ବୋଲି ସେ କହିଛନ୍ତି।

ଅନ୍ୟପଟେ, ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଥିବାବେଳେ ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଭୋର ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ଛୁଇଁବ। ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଦାନା’ ରଖାଯିବ। ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ। ମଧ୍ୟପ୍ରାଚ୍ୟ ଦେଶ କାତାର୍ ପକ୍ଷରୁ ଏହି ନାମକରଣ ହୋଇଛି।

ସମ୍ଭାବ୍ୟ ବାତ୍ୟାର ଗତିପଥ ଚିତ୍ର ସାମ୍ନାକୁ ଆସିଛି। ପୁରୀରୁ ଦୀଘା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସମ୍ଭାବ୍ୟ ବାତ୍ୟାର ଗତିପଥ ଅନୁସାରେ, ୨୩ ତାରିଖ ବାତ୍ୟା ରୂପ ନେଇପାରେ ଅବପାତ। ୨୪ ତାରିଖ ଭୀଷଣ ବାତ୍ୟା ହୋଇ ସ୍ଥଳଭାଗ ଛୁଇଁବ। ପରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ(SCS)ରେ ପରିଣତ ହେବ। ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ଆସନ୍ତା ୨୪ ତାରିଖରେ ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ସେହିଭଳି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଗଜପତି, କନ୍ଧମାଳ, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ନୟାଗଡ଼ ପ୍ରବଳ ବର୍ଷା ନେଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Leave A Reply

Your email address will not be published.