Odisha Link
Bridging the Missing Links in Odisha

ଅଭୁଲା ଅକ୍ଟୋବର ୧୯୯୯, ଓଡ଼ିଶାକୁ ଘାରିଛି ବାତ୍ୟା ଭୟ

ଓଏଲ୍‌ ବ୍ୟୁରୋ: ପ୍ରକୃତିର ତାଣ୍ଡବ, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର। ହଠାତ୍‌ ସମୁଦ୍ରରୁ ମାଡ଼ି ଆସିଲା ନଡ଼ିଆ ଗଛ ପ୍ରାୟ ଉଚ୍ଚର ଜୁଆର। ନିମିଷକ ମଧ୍ୟରେ ନିଶ୍ଚିହ୍ନ ହୋଇଗଲା ସବୁକିଛି। କିଏ କେଉଁଠି ରହିଲେ, କୁଆଡ଼େ ଗଲେ କିଛି ଜଣାପଡ଼ିଲା ନାହିଁ। ଚାରିଆଡ଼େ ପ୍ରଳୟର ଦୃଶ୍ୟ, ପ୍ରଚଣ୍ଡ ବେଗର ପବନ ଓ ପାଣି। ମୁହୂର୍ତ୍ତକ ପରେ ନିଜକୁ କିଏ କେଉଁଠି କିପରି ଅବସ୍ଥାରେ ଆବିଷ୍କାର କଲେ ତାହା ଜଣା ନ ଥିଲା।

ଆତ୍ମୀୟ ସ୍ଵଜନ, ପରିବାର ଲୋକେ ସବୁ ଆଖି ଆଗରେ ଭାସିଗଲେ। ଘରଦ୍ୱାର କେଉଁ ଜାଗାରେ ରହିଥିଲା ତାହା ଠଉରାଇବା ସମ୍ଭବ ନ ଥିଲା। ୧୦ ହଜାରରୁ ଅଧିକ ମୂଲ୍ୟବାନ ଜୀବନ ଚାଲିଯାଇଥିଲା। ପ୍ରାୟ ୧୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ୧୯୯୯ ମହାବାତ୍ୟାକୁ ପୂରିବାକୁ ଯାଉଛି ୨୫ ବର୍ଷ। ଏହି ପ୍ରଳୟଙ୍କରୀ ବାତ୍ୟା ଦିନେ ଧୋଇ ନେଇଥିଲା ଓଡ଼ିଶାର ଶିରି। ପ୍ରକୃତି ଯେ କେତେ ଭୟଙ୍କର ହୋଇପାରେ ତାହା ୧୯୯୯ ଅକ୍ଟୋବର ୨୯, ଶୁକ୍ରବାର ସାରା ଓଡ଼ିଶା ଦେଖିଥିଲା। ଆଖି ଆଗରେ ଦୋହଲି ଯାଇଥିଲା ସବୁକିଛି। ଭାଙ୍ଗି ଯାଇଥିଲା ଘର, ଉପୁଡ଼ି ପଡ଼ିଥିଲା ଗଛ। କ୍ଷୟକ୍ଷତିର ଏକ ଭୟାନକ ଦୃଶ୍ୟ ଦେଖିଥିଲେ ଓଡ଼ିଶାବାସୀ।

ସେବେଠୁ ଓଡ଼ିଶା ବାସୀଙ୍କ ମନରେ ବାତ୍ୟାର ଭୟ ଘାରି ହୋଇଛି। ୧୯୯୯ ପରଠୁ ୨୦୨୨ ମସିହା ମଧ୍ୟରେ ଓଡ଼ିଶା ସାମ୍ନା କରିଛି ୧୧ଟି ବାତ୍ୟା। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ଼, ୨୦୧୮ରେ ତିତଲି, ପେଥାଇ ଓ ଡାଏ, ୨୦୧୯ରେ ଫନି ଓ ବୁଲବୁଲ, ୨୦୨୦ରେ ଅମ୍ଫାନ, ୨୦୨୧ରେ ୟାସ, ଗୁଲାବ ଓ ଜୱାଦ ଦ୍ବାରା ଓଡ଼ିଶା ପ୍ରଭାବିତ ହୋଇଥିଲା। ଆଉ ଏବେ ‘ଦାନା’ ଭୟରେ ରହିଛି ଓଡ଼ିଶା।

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।

ଅନ୍ୟପଟେ, ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଥିବାବେଳେ ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଭୋର ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ଛୁଇଁବ। ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଦାନା’ ରଖାଯିବ। ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ। ମଧ୍ୟପ୍ରାଚ୍ୟ ଦେଶ କାତାର୍ ପକ୍ଷରୁ ଏହି ନାମକରଣ ହୋଇଛି।

ସମ୍ଭାବ୍ୟ ବାତ୍ୟାର ଗତିପଥ ଚିତ୍ର ସାମ୍ନାକୁ ଆସିଛି। ପୁରୀରୁ ଦୀଘା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସମ୍ଭାବ୍ୟ ବାତ୍ୟାର ଗତିପଥ ଅନୁସାରେ, ୨୩ ତାରିଖ ବାତ୍ୟା ରୂପ ନେଇପାରେ ଅବପାତ। ୨୪ ତାରିଖ ଭୀଷଣ ବାତ୍ୟା ହୋଇ ସ୍ଥଳଭାଗ ଛୁଇଁବ। ପରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ(SCS)ରେ ପରିଣତ ହେବ। ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

Leave A Reply

Your email address will not be published.