Odisha Link
Bridging the Missing Links in Odisha

ମଝି ସମୁଦ୍ରରେ ମତ୍ସ୍ୟଜୀବୀ, ତୁରନ୍ତ କୂଳକୁ ଫେରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ଆଶଙ୍କା ରହିଛି।

ଏହା ପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଭୋର ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ଛୁଇଁବ। ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଦାନା’ ରଖାଯିବ। ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ। ମଧ୍ୟପ୍ରାଚ୍ୟ ଦେଶ କାତାର୍ ପକ୍ଷରୁ ଏହି ନାମକରଣ ହୋଇଛି। ବାତ୍ୟା ନେଇ ଚେତାବନୀ ପରେ କୂଳକୁ ଫେରି ଆସୁଛନ୍ତି ମତ୍ସ୍ୟଜୀବୀ। ପାରାଦୀପ, ଗୋପାଳପୁର, ବାଲେଶ୍ବର ଉପକୂଳରୁ ଫେରିଥିବାବେଳେ ଆହୁରି ମତ୍ସ୍ୟଜୀବୀ ଫସିଛନ୍ତି।

ମଝି ସମୁଦ୍ରରେ ଥିବା ୧୧ ଡଙ୍ଗାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ସମୁଦ୍ରରେ ପୁରୀର ୨, ଜଗତସିଂହପୁରର ୯ ଡଙ୍ଗା ରହିଛି। ତୁରନ୍ତ କୂଳକୁ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ଉପରେ ନଜର ରଖିବାକୁ ମତ୍ସ୍ୟ ଓ ପଶୁ ସଂପଦ ସଚିବ ସଜାଗ ରହିଛି।

ସୂଚନା ଅନୁସାରେ, ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଭଦ୍ରକ ଓ କେନ୍ଦ୍ରାପଡ଼ା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ। ବାତ୍ୟାର ଲ୍ୟାଣ୍ଡଫଲ ନେଇ ନୂଆ ଗତିପଥ ଜାରି କଲା ଭାରତୀୟ ପାଣିପାଗ କେନ୍ଦ୍ର। ୨୪ ତାରିଖ ରାତି ଓ ୨୫ ସକାଳେ ଲ୍ୟାଣ୍ଡଫଲ କରିବ। ପବନର ବେଗ ୧୦୦ରୁ ୧୧୦କିମି ରହିବା ସମ୍ଭାବନା ରହିଛି। ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ୨୪ ତାରିଖ ପାଇଁ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।

ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟାକୁ ନଜରରେ ରଖି ଏସ୍ଆରସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କୁ ସତର୍କ କରାଇଅଛନ୍ତି ଏସ୍ଆରସି।

Leave A Reply

Your email address will not be published.