Odisha Link
Bridging the Missing Links in Odisha

ମାଡ଼ି ଆସୁଛି ‘ଦାନା’, ଓଡ଼ିଶାର ଏହି ସ୍ଥାନରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରୁ ବଳ ଗୋଟାଇ ଆଗକୁ ବଢୁଛି ଗଭୀର ଅବପାତ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି।

ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବାତ୍ୟା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ବାସିନ୍ଦାଙ୍କୁ ଭାରତୀୟ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ବାତ୍ୟା ‘ଦାନା’ ପାଇଁ ୩ ବନ୍ଦରରେ ୪ନଂ ବିପଦ ସଂକେତ ଜାରି ହୋଇଛି। ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୪ନଂ ବିପଦ ସଂକେତ ଜାରି ହୋଇଛି। ଏହା ସହ ବାତ୍ୟା ‘ଦାନା’ ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ଅନ୍ୟପଟେ, ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟା ‘ଦାନା’ ପ୍ରଭାବରେ ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଅତି ପ୍ରବଳ ବର୍ଷା ପାଇଁ ୭ ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.