Odisha Link
Bridging the Missing Links in Odisha

ବାତ୍ୟା ପାଇଁ ସତର୍କତା, ୨୦୦ରୁ ଅଧିକ ଟ୍ରେନ୍ ବାତିଲ

ଓଏଲ୍‌ ବ୍ୟୁରୋ: ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୨୬୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୮୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବାବେଳେ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।

ବାତ୍ୟାକୁ ଦୃଷ୍ଟିରେ ରଖି ୨୦୦ରୁ ଅଧିକ ଟ୍ରେନ ବାତିଲ ହୋଇଛି। ପ୍ରଥମେ ୧୭୮ଟି ଟ୍ରେନ ବାତିଲ ହୋଇଥିଲା। ପରେ ଆଉ ୨୩ ଟ୍ରେନ୍ ବାତିଲ ହୋଇଛି। ଉପକୂଳ ଓଡ଼ିଶା ଦେଇ ଚଳାଚଳ କରୁଥିବା ଟ୍ରେନ ବାତିଲ କରିଛି ଇଷ୍ଟକୋଷ୍ଟ ରେଲୱେ। ଯାତ୍ରୀଙ୍କ ସୁରକ୍ଷା ଓ ରେଳବାଇର ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ଟ୍ରେନ୍ ବାତିଲ କରିଥିବା କହିଛି ରେଳବାଇ। ବାତିଲ ଟ୍ରେନ ଭିତରେ ରହିଛି ଅପ୍ ଓ ଡାଉନ ଟ୍ରେନ୍।

ଏହି ଟ୍ରେନ ଗୁଡ଼ିକ ଅକ୍ଟୋବର ୨୩ରୁ ୨୯ ମଧ୍ୟରେ ପୁରୀରୁ ହାୱଡ଼ା ରୁଟ୍ ରେ ବନ୍ଦ ରହିବ। ବାତିଲ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଟ୍ରେନ ଗୁଡ଼ିକ ଭିତରେ ରହିଛି ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡ଼ା-ଭୁବନେଶ୍ବର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ଟ୍ରେନ। ପୂର୍ବତଟ ରେଳପଥର ଅନ୍ୟ ରୁଟ୍ ରେ ମଧ୍ୟ ଟ୍ରେନ୍ ଚଳାଚଳ ପ୍ରଭାବିତ ହେବ।

Leave A Reply

Your email address will not be published.