Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ କେଭି ସିଂହଦେଓ, ବାତ୍ୟା ମୁକାବିଲା ନେଇ କଲେ ଆଲୋଚନା

ଓଏଲ୍‌ ବ୍ୟୁରୋ: ଅଶାନ୍ତ ହେଉଛି ସମୁଦ୍ର। ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୨୧୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୪୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବାବେଳେ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।

ବାତ୍ୟା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜାରି ରହିଥିବାବେଳେ କେନ୍ଦ୍ରାପଡ଼ାରେ ସ୍ଥିତି ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ବାତ୍ୟା ମୁକାବିଲା ପାଇଁ ସରକାର ୯ ଜିଲ୍ଲାରେ ୯ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ରାପଡାରେ ବାତ୍ୟାର ଲ୍ୟାଂଡଫଲ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ତେବେ ବାତ୍ୟା ମୁକାବିଲା ତଦାରଖ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କେନ୍ଦ୍ରାପଡା ଗସ୍ତ କରିଛନ୍ତି।

ସୂଚନା ଅନୁସାରେ, ବାତ୍ୟା ମୁକାବିଲା ତଦାରଖ କରିବା ପାଇଁ ଜଗତସିଂହପୁର ପାଇଁ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବାଲେଶ୍ବର ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଭଦ୍ରକ ପାଇଁ କ୍ରୀଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ମୟୂରଭଞ୍ଜ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରାପଡ଼ା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଗଞ୍ଜାମ ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, କେନ୍ଦୁଝର ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କଟକ ପାଇଁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଦାୟିତ୍ବ ଦିଆଯାଇଛି।

Leave A Reply

Your email address will not be published.