Odisha Link
Bridging the Missing Links in Odisha

ବାତ୍ୟା ଦାନାର ପ୍ରଭାବ, ୧୬୫୩ ଗ୍ରାମରେ କ୍ଷୟକ୍ଷତି ଭୟ

ଓଏଲ୍‌ ବ୍ୟୁରୋ: ଅଶାନ୍ତ ହେଉଛି ସମୁଦ୍ର। ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୨୧୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୪୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବାବେଳେ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।

ବାତ୍ୟା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜାରି ରହିଥିବାବେଳେ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ସମୀକ୍ଷା କରିଛନ୍ତି। ବାତ୍ୟା ମୁକାବିଲା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୧ ଜିଲ୍ଲାର ୩୮ ବ୍ଲକ, ୯ ପୌରାଞ୍ଚଳ ପ୍ରଭାବିତ ହୋଇପାରେ। ମୋଟ ୧୬୫୩ ଗାଁ ବାତ୍ୟା ଦ୍ବାରା ପ୍ରଭାବିତ ହେବା ଆକଳନ କରାଯାଇଛି। ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବେ। ଏଯାବତ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୭ ହଜାର ୨୮୫ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା ହୋଇଛି। ୨ ହଜାର ୩୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ଲୋକଙ୍କ ଘର ଜଗିବାକୁ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ ଯୋଗାଣ ପାଇଁ ପ୍ରସ୍ତୁତି ସରିଛି। ଡିଜି, ଜେନେରେଟର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁନଃରୁଦ୍ଧାର ପାଇଁ ତ୍ୱରିତ ବ୍ୟବସ୍ଥା କରାଯାଇଛି। ସ୍ଥିତି ଅନୁଧ୍ୟାନ କରି ଅଧିକାରୀ ସରକାରଙ୍କୁ ରିପୋର୍ଟ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.