Odisha Link
Bridging the Missing Links in Odisha

ସ୍ଥଳଭାଗ ମୁହାଁ ବାତ୍ୟା, ଆଶ୍ରୟସ୍ଥଳୀରେ ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଅଶାନ୍ତ ହେଉଛି ସମୁଦ୍ର। ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୧୮୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୧୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି।

ବାତ୍ୟା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜାରି ରହିଥିବାବେଳେ କେନ୍ଦ୍ରାପଡ଼ାରେ ସ୍ଥିତି ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ବାତ୍ୟା ମୁକାବିଲା ପାଇଁ ସରକାର ୯ ଜିଲ୍ଲାରେ ୯ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଧାମରାରେ ଲ୍ୟାଂଡଫଲ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ତେବେ ବାତ୍ୟା ମୁକାବିଲା ତଦାରଖ କରିବା ପାଇଁ ବଇଁଚାଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଚ୍ଛନ୍ତି ମନ୍ତ୍ରୀ। ଆଶ୍ରିତମାନଙ୍କ ସହ ଆଲୋଚନା କରିବା ସହ ବିପର୍ଯୟ ପରିଚାଳନା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି।

ଅନ୍ୟପଟେ, ବାତ୍ୟା ନେଇ ସୂଚନା ଦେଇଛନ୍ତି ପାଣିପାଗ ନିର୍ଦେଶିକା। ସେ କହିଛନ୍ତି, ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି। ଆଜି ରାତିରୁ କାଲି ସକାଳ ୯ଟା ଯାଏ ଗୁରୁତ୍ବପୂର୍ଣ୍ଣ। ମାଟି ଘରେ ଥିବା ଲୋକ ପକ୍କା ଘରକୁ ପଳାନ୍ତୁ। ଟିଣ ଘର, ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବ। ବିଦ୍ୟୁତ କାଟ୍‌ ମଧ୍ୟ ହେବ ସେଥିପାଇଁ ସତର୍କ ରୁହନ୍ତୁ। ଭୁବନେଶ୍ବରରେ ଆଗକୁ ବର୍ଷାର ପରିମାଣ ବଢ଼ିବ। ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ନାହିଁ। ଭୀଷଣ ବାତ୍ୟା ହୋଇ ସ୍ଥଳଭାଗ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

Leave A Reply

Your email address will not be published.