Odisha Link
Bridging the Missing Links in Odisha

ମାଡ଼ି ଆସୁଛି ‘ଦାନା’

ଓଏଲ୍‌ ବ୍ୟୁରୋ: ସ୍ଥଳଭାଗ ମୁହାଁ ବାତ୍ୟା ଦାନା। ଓଡ଼ିଶା ଉପକୂଳକୁ ପାଖେଇ ଆସିଲାଣି ଭୀଷଣ ବାତ୍ୟା ‘ଦାନା’। ଏବେ ଏହା ପାରାଦୀପରୁ ୯୦ କିମି ଦୂରରେ ଅଛି। ସେହିଭଳି ଧାମରା ଠାରୁ ୧୨୦ କିମି ଦୂରରେ ଅଛି। ବାତ୍ୟା ‘ଦାନା’ ଏବେ ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଥିବା ସୂଚନା ରହିଛି।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’ ଭୟଙ୍କର ରୂପ ଧାରଣ କରି ଗୁରୁବାର ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବା ପାଇଁ ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଛି। ସ୍ଥଳଭାଗ ସ୍ପର୍ଶ କରିବା ପରେ ବାତ୍ୟା ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗକୁ ସାମାନ୍ୟ ଗତି କରିବା ସମ୍ଭାବନା ଥିବାରୁ ରାଜ୍ୟର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଭାଗରେ ଅଧିକ ବର୍ଷା ହୋଇପାରେ। ବାତ୍ୟା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ୫ରୁ ୬ ଘଣ୍ଟା ମଧ୍ୟରେ ରହିବ ଓ ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୨୦ କିଲୋମିଟର ରହିବ।

ବାତ୍ୟା ଦାନା ଉପକୂଳ ଅତିକ୍ରମ କରିବା ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିପାରେ। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କ.ମି ରହିବ। ପୁରୀ ଓ କଟକରେ ଘଣ୍ଟାପ୍ରତି ୬୦ରୁ ୮୦କିମି ପବନ ହେବାକୁ ଥିବାବେଳେ ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ୱରରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ବାତ୍ୟା ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଯୋଗୁ ବନ୍ୟା ଆଶଙ୍କା ରହିଛି। ୧୬ଟି ଜିଲ୍ଲାରେ ମଧ୍ୟମ ଧରଣର ଅଚାନକ ବନ୍ୟା ଆଶଙ୍କା ରହିଛି।

Leave A Reply

Your email address will not be published.