ବାତ୍ୟା ‘ଦାନା’ ମୁକାବିଲା: ମୋହନଙ୍କ ସହ ଆଲୋଚନା କଲେ ମୋଦି

ଓଏଲ୍ ବ୍ୟୁରୋ: ସ୍ଥଳଭାଗ ମୁହାଁ ବାତ୍ୟା ଦାନା। ଓଡ଼ିଶା ଉପକୂଳକୁ ପାଖେଇ ଆସିଲାଣି ଭୀଷଣ ବାତ୍ୟା ‘ଦାନା’। ଏବେ ଏହା ପାରାଦୀପରୁ ୯୦ କିମି ଦୂରରେ ଅଛି। ସେହିଭଳି ଧାମରା ଠାରୁ ୧୨୦ କିମି ଦୂରରେ ଅଛି। ବାତ୍ୟା ‘ଦାନା’ ଏବେ ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଥିବା ସୂଚନା ରହିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ଆଜି ଅପରାହ୍ନ ଓ ସନ୍ଧ୍ୟାରେ ଦୁଇଥର ପ୍ରଧାନମନ୍ତ୍ରୀ ମୋଦି ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି। ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ସନ୍ତୋଷ ବ୍ୟକ୍ତ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହା ସହିତ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ସୁରକ୍ଷା ବଳ, NDRF, ODRAF ଆଦି ମୁତୟନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ। ଆଲୋଚନା ପରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।